ବର୍ଷ ଥିଲା 1995 । ବିଜେପି ସଦ୍ୟ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ଲାଗି ବିଜୟ ଲାଭ କରି ନିଜେ ଏକ ବହୁମତ ସରକାର ଗଠନ କରିଥିଲା । ଏହାର ଦୁଇମାସ ପରେ ରାଜ୍ୟବ୍ୟାପୀ ପୌରପାଳିକା ନିର୍ବାଚନ ହେବା ନେଇ କାର୍ଯ୍ୟସୂଚୀ ଘୋଷଣା ହୋଇଥିଲା । ଏଥିପାଇଁ ପ୍ରସ୍ତୁତି ପୁରା ଦମ୍ ରେ ଚାଲିଥିଲା ଓ ଏହି ସମୟରେ ମୋଦୀ ତାଙ୍କର କେତେ ଜଣ ଦଳୀୟ ସହଯୋଗୀ ଓ କର୍ମକର୍ତ୍ତାଙ୍କୁ ଡାକି ଏକ ଯନ୍ତ୍ର ଦେଲେ ଯାହାକୁ କି ସେମାନେ ପୂର୍ବରୁ କେବେହେଲେ ଦେଖିନଥିଲେ । ଏହାକୁ ସେ ନିକଟରେ କରିଥିବା ବୈଦେଶିକ ଯାତ୍ରାରୁ ଆଣିଥିଲେ । ଏହାଥିଲା ଏକ ଡିଜିଟାଲ କ୍ୟାମେରା । ସେମାନଙ୍କର କାମ ଥିଲା ଦଳର ନିର୍ବାଚନ ପ୍ରଚାରରେ ରାଜ୍ୟ ସାରା ଭ୍ରମଣ କରିବା ଓ ସେମାନେ ଦେଖୁଥିବା ଜନସାଧାରଣଙ୍କ ହାବଭାବ, ସେମାନଙ୍କ ବେଶଭୂଷା, ଅଭ୍ୟାସ, ସାର୍ବଜନୀନ ସଭାସମିତି ମାନଙ୍କରେ ଯୋଗଦାନ, କାର୍ଯ୍ୟସ୍ଥଳ ଓ ଚା’ ଦୋକାନରେ ଜନସାଧାରଣଙ୍କ ଖାଦ୍ୟପେୟ ଆଦି ଗୁଜୁରାଟର ସାମାଜିକ ନିର୍ଯ୍ୟାସକୁ ଡିଜିଟାଲ କ୍ୟାମେରା ମାଧ୍ୟମରେ ରେକର୍ଡ କରିବା । ଏହି ସମୟରେ ଭାରତ କଥା ଛାଡନ୍ତୁ, ପାଶ୍ଚାତ୍ୟରେ ମଧ୍ୟ ଡିଜିଟାଲ କ୍ୟାମେରାର ବ୍ୟବହାର ଏତେଟା ଲୋକପ୍ରିୟ ହୋଇନଥିଲା । ସେ ଅଭ୍ୟାସକୁ ଆଜି ବି ମୋଦୀ ରଖିଛନ୍ତି । ପ୍ରଥମେ ସେ ଜିନିଷର ସାମର୍ଥ୍ୟ ଦେଖନ୍ତି ଓ ପରେ ସେ ସବୁଠାରୁ ନୂତନ ବୈଷୟିକ ଜ୍ଞାନକୌଶଳ ଓ ଡ଼ିଜିଟାଲ ଉଦ୍ଭାବନକୁ କେବଳ ନିଜେ ନୁହେଁ ବରଂ ଶାସନର ଏକ ମଡେଲ ଭାବେ ବ୍ୟବହାର କରି ନିଜ ସମୟଠାରୁ ସବୁବେଳେ ଆଗରେ ଥା’ନ୍ତି । ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ ଯେ କେବଳ ରାଜନୈତିକ ବ୍ୟକ୍ତିମାନଙ୍କ ମଧ୍ୟରେ ନୁହେଁ ବରଂ ଏକ ବ୍ୟାପକ ସାମାଜିକ କ୍ଷେତ୍ରରେ ମଧ୍ୟ ପ୍ରଥମେ ମୋଦୀ ସୋସିଆଲ ମିଡିଆର ଗୁରୁତ୍ୱକୁ କେବଳ ଗୋଟିଏ ଏକତରଫା ପ୍ରସାରଣ ମାଧ୍ୟମ ନୁହେଁ ବରଂ ଏକ ଦ୍ୱିପାକ୍ଷିକ ଡିଜିଟାଲ ପ୍ରକ୍ରିୟା ଭାବେ ଭାବ ଆଦାନ ପ୍ରଦାନ କରିବାର ମାଧ୍ୟମ ଭାବେ ଦେଖିପାରିଥିଲେ ଓ ହୃଦୟଙ୍ଗମ କରିଥିଲେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ, ସୋସିଆଲ ମିଡିଆରେ ଯୋଗଦାନ କରୁଥିବା ବ୍ୟକ୍ତିମାନେ ତାଙ୍କ ସହିତ ଯୋଗାଯୋଗ ରକ୍ଷା କରିପାରୁଥିଲେ । ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ତାଙ୍କର ପ୍ରାଥମିକ ପଦକ୍ଷେପ ମଧ୍ୟରୁ ଗୋଟିଏ ଥିଲା 2014 ଜୁଲାଇ ମାସରେ ‘ମାଇଁଗଭ’ର ପ୍ରଚଳନ କରି ଏହି ଯୋଗାଯୋଗ ପ୍ରକ୍ରିୟାକୁ ଆନୁଷ୍ଠାନିକ କରିବା । ଏହାର ବର୍ଷକ ପରେ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଗ୍ରହଣୀୟ ସରକାରୀ ମଡେଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଆନୁଷ୍ଠାନିକ ଭାବେ ‘ଡିଜିଟାଲ ଇଣ୍ଡିଆ’ ଶୁଭାରମ୍ଭ କରିଥିଲେ । 2015ରେ କାଲିଫର୍ଣ୍ଣିଆର ସାନ ଜୋସଠାରେ ଅନୁଷ୍ଠିତ ଡିଜିଟାଲ ଭାରତ ଉତ୍ସବରେ ତାଙ୍କ ବକ୍ତବ୍ୟ ରଖି ମୋଦୀ ତାଙ୍କ ଦର୍ଶନ ସମ୍ବନ୍ଧରେ ପ୍ରକାଶ କରି କହିଥିଲେ, “ଆପଣ ଯେତବେଳେ ସୋସିଆଲ ମଡିଆ ହେଉ କିମ୍ବା ଅନ୍ୟ କୌଣସି ସେବା ହେଉ ଏହାର ଦୃତ ବିସ୍ତାର ସମ୍ବନ୍ଧରେ ଭାବିବେ, ସେତବେଳେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ଯେ ବହୁଦିନ ଧରି ଉନ୍ନତି କରିବା ଲାଗି ଆଶା ବାନ୍ଧି ବସିଥିବା ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣ ଆଣିବା ମଧ୍ୟ ସମାନ ଭାବେ ସମ୍ଭବ । ତେଣୁ ବନ୍ଧୁଗଣ, ଏହି ବିଶ୍ୱାସବୋଧ ମଧ୍ୟରୁ ଡିଜିଟାଲ ଇଣ୍ଡିଆ ଅନ୍ତର୍ଦୃଷ୍ଟିର ଜନ୍ମ । ଭାରତର ବ୍ୟାପକ ରୂପାନ୍ତରଣ ପାଇଁ ଏହା ଏପରି ଏକ ଦୁଃସାହାସିକ ଅଭିଯାନ ଯାହାକୁ ବୋଧହୁଏ ମନୁଷ୍ୟ ଇତିହାସରେ ବିରଳ । ଏହା କେବଳ ବିକାଶର ସ୍ରୋତରୁ ଦୂରେଇ ଯାଇଥିବା ଦୁର୍ବଳ ଓ ଦରିଦ୍ରତମ ଜନସାଧାରଙ୍କ ଜୀବନକୁ ପରିବର୍ତ୍ତିତ କରିବ ନାହିଁ ବରଂ ଦେଶର କାର୍ଯ୍ୟଧାରା ଓ ଜୀବନ ଧାରାକୁ ମଧ୍ୟ ପରିବର୍ତ୍ତିତ କରିଦେବ ।
Login or Register to add your comment