2014 ମସିହା ମେ 26 ତାରିଖ ଦିନ କ୍ଷମତାସୀନ ହେବା ପରଠାରୁ ଭାରତ ସରକାର ଏପରି ଏକ ବିଦେଶ ନୀତି ଆପଣେଇଛନ୍ତି ଯାହାଦ୍ୱାରା ବିଶ୍ଵ ନେତୃବର୍ଗଙ୍କ ସହ ଭାରତ ସକ୍ରିୟ ଭାବେ ଆଲୋଚନାରେ ନିୟୋଜିତ ରହିଛି ଏବଂ ଏଥିସହ ଭାରତକୁ ଆସି ଏଠାରେ ପୁଞ୍ଜି ନିବେଶ କରିବା ସକାଶେ ସବୁ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ ଜଣାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ନିଜର ବନ୍ଧୁ ରାଷ୍ଟ୍ରଙ୍କ ସହ ସମ୍ପର୍କର ଡୋରିକୁ ସୁଦୃଢ଼ କରିଛି ଏବଂ ଅନ୍ୟାନ୍ୟ ରାଷ୍ଟ୍ରଙ୍କ ସହ ସହଯୋଗର ନୂତନ ମାର୍ଗ ସୃଷ୍ଟି କରିଛି ।
2014 ମସିହା ମେ 26 ତାରିଖ ଦିନ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରୁଥିଲେ ସେତେବେଳେ ଦର୍ଶକ ମଣ୍ଡଳୀ ମଧ୍ୟରେ ଉପସ୍ଥିତ ଥିଲେ ସାର୍କ ସଦସ୍ୟ ରାଷ୍ଟ୍ରର ଶାସନ ମୁଖ୍ୟ – ଆଫଗାନିସ୍ତାନର ରାଷ୍ଟ୍ରପତି ହାମିଦ କାରଜାଇ, ପ୍ରଧାନମନ୍ତ୍ରୀ ଟୋବଗେ (ଭୁଟାନ), ରାଷ୍ଟ୍ରପତି ୟାମିନ (ମାଳଦ୍ଵୀପ), ପ୍ରଧାନମନ୍ତ୍ରୀ କୋଇରାଲା (ନେପାଳ), ପ୍ରଧାନମନ୍ତ୍ରୀ ନୱାଜ ଶରିଫ (ପାକିସ୍ତାନ) ଏବଂ ରାଷ୍ଟ୍ରପତି ରାଜପାକ୍ସେ (ଶ୍ରୀଲଙ୍କା) । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜାପାନ ଗସ୍ତରେ ଥିବା ହେତୁ ସେଠାକାର ସଂସଦର ବାଚସ୍ପତି ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ । ପରଦିନ ପ୍ରଧାନମନ୍ତ୍ରୀ ଏହିସବୁ ନେତୃବର୍ଗଙ୍କ ସହ ଦ୍ଵିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ବିସ୍ତୃତ ଆଲୋଚନା କରିଥିଲେ ।
ସାର୍କ ସଂଗଠନ ସୁଦୃଢ଼ କରିବା ସକାଶେ ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଓ ପ୍ରତିବଦ୍ଧତା ବାରମ୍ବାର ପରିଲକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବା ପରେ ସେ ପ୍ରଥମେ ଭୁଟାନକୁ ହିଁ ବିଦେଶ ଗସ୍ତରେ ଯାଇଥିଲେ ଯେଉଁଠାରେ ସେ ଭୁଟାନ ସଂସଦ କୁ ସମ୍ବୋଧନ କରିଥିଲେ ।। ଏହି ଅବସରରେ ଭାରତ-ଭୁଟାନ ସହଯୋଗକୁ ନିବିଡ କରିବା ସକାଶେ ଅନେକ ରାଜିନାମା ସ୍ଵାକ୍ଷରିତ ହୋଇଥିଲା । ଯେଉଁଠାରେ ଭାରତ-ନେପାଳ ସଂପର୍କ ବୃଦ୍ଧି ଘଟାଇବାରେ ବେଶ ପ୍ରଗତି ସମ୍ଭବପର ହୋଇଥିଲା । 2015 ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଗସ୍ତ ରେ ଯାଇ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ଯୋଡିଥିଲେ । 2015 ଜାନୁଆରୀ ମାସରେ ରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କରିବାର ଏକ ମାସ ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା ପ୍ରଥମେ ଭାରତ ଗସ୍ତ ରେ ଆସିଥିଲେ ।ସେଠାକାର ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେ ମଧ୍ୟ 2015 ସେପ୍ଟେମ୍ବର ମାସରେ ଭାରତ ଗସ୍ତ କରିଥିଲେ ।
2015 ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ କାଳରେ ଏକ ଐତିହାସିକ ସଫଳତା ହାସଲ କରାଯାଇପାରିଥିଲା । ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଥିବା ଭୂସୀମା ରାଜିନାମା ଅନୁମୋଦନ ଲାଭ କରିଥିଲା । ଉଭୟ ରାଷ୍ଟ୍ର ମଧ୍ୟରେ ସଡକ ସଂଯୋଗୀକରଣକୁ ସୁଦୃଢ଼ କରିବା ନିମନ୍ତେ ବସ ସେବାର ଶୁଭାରମ୍ଭ କରାଯାଇଥିଲା । 2016 ଏପ୍ରିଲ ମାସରେ ରାଷ୍ଟ୍ରପତି ୟାମିନଙ୍କ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ଵାଗତ କରିଥିଲେ ଏବଂ ଭାରତ-ମାଳଦ୍ଵୀପ ସମ୍ପର୍କ ବୃଦ୍ଧି ଘେନି ଦୁଇନେତାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା ।
କ୍ଷମତା ଗ୍ରହଣ କରିବା ଦିନଠାରୁ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ଵପୂର୍ଣ୍ଣ ଶିଖର ସମ୍ମିଳନୀରେ ଯୋଗଦାନ କରିଛନ୍ତି । 2014 ଜୁଲାଇ ମାସରେ ଫୋର୍ଟାଲେଜା (ବ୍ରାଜିଲ) ଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ରେ ସାମିଲ ହୋଇଥିଲେ ଯେଉଁଠାରେ ସେ ଅନ୍ୟ ବ୍ରିକ୍ସ ନେତୃବର୍ଗଙ୍କୁ ଭେଟିବା ସହ ବ୍ରିକ୍ସ ରାଷ୍ଟ୍ରମାନଙ୍କ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ଏକ ଗୁରୁତ୍ଵପୂର୍ଣ୍ଣ ଘଟଣାକ୍ରମରେ ବ୍ରିକ୍ସ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା ଓ ଏହି ବ୍ୟାଙ୍କର ପ୍ରଥମ ଅଧ୍ୟକ୍ଷ ଦାୟିତ୍ଵ ଭାରତ ବହନ କରିଥିଲା ।
2014 ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେଇଥିଲେ ଏବଂ ସେଠାରେ ବିଶ୍ଵପାଇଁ ଭାରତର ଭୂମିକା ସମ୍ପର୍କରେ ଉଲ୍ଲେଖ କରିବା ସହ ବିଶ୍ଵଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଏହି ଅବସରରେ ବିଶ୍ଵ ସମୁଦାୟକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଲାଗି ବର୍ଷକୁ ଗୋଟିଏ ଦିନ ସମର୍ପିତ କରିବାକୁ ଆହ୍ଵାନ ଜଣାଇଥିଲେ । ଡିସେମ୍ବର 2014 ରେ 177 ଟି ରାଷ୍ଟ୍ର ଜାତିସଂଘରେ ଏକଜୁଟ ହୋଇଥିଲେ ଏବଂ ଜୁନ 21 ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିବା ନେଇ ସଂକଳ୍ପ ଗୃହୀତ ହୋଇଥିଲା ।
ଏନଡିଏ ସରକାରଙ୍କ ଶାସନ କାଳରେ ଜି-20 ଗୋଷ୍ଠୀଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଷ୍ଟ୍ରେଲିଆରେ (2014)ଶିଖର ସମ୍ମିଳନୀ ଏବଂ ତୁର୍କୀ (2015)ରେ ଜି-20 ଶିଖର ସମ୍ମିଳନୀରେ ଯୋଗଦେଇଛନ୍ତି । ବ୍ରିସବେନ ଜି-20 ଶିଖର ସମ୍ମିଳନୀରେ କଳାଧନ ଫେରସ୍ତ ଉପରେ ଗୁରୁତ୍ଵ ଆରୋପ କରିଥିଲେ ଏବଂ କଳାଟଙ୍କା ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ G-20 ନେତୃମଣ୍ଡଳୀକୁ ଅବଗତ କରାଇଥିଲେ । ଶିଖର ସମ୍ମିଳନୀରେ ଆଲୋଚନା କାଳରେ ଏଭଳି ପ୍ରସ୍ତାବକୁ ଗୁରୁତ୍ଵର ସହ ଗ୍ରହଣ କରାଯାଇଥିଲା ଏବଂ ଭାରତ ସରକାର ଏହା ଉପରେ କେତେ ମହତ୍ତ୍ଵ ପ୍ରଦାନ କରନ୍ତି ତାହା ସମସ୍ତେ ଉପଲବଧି କରିଥିଲେ ।
ଆସିଆନ (ASEAN) ସହ ସମ୍ପର୍କ ଦୃଢ଼ କରିବା ଉପରେ ପ୍ରଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମ୍ୟାନମାରରେ ଆୟୋଜିତ ଆସିଆନ ଶିଖର ସମ୍ମିଳନୀ (2014) ଏବଂ କୁଆଲାଲୁମ୍ପୁର (2015)ରେ ଯୋଗ ଦେଇଥିଲେ । ଯେଉଁଠାରେ ଏସିଆର ତୁଙ୍ଗ ନେତୃବର୍ଗଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ହୋଇଥିଲା । ସେ ଭେଟିଥିବା ସମସ୍ତ ନେତା ସରକାରଙ୍କ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ପ୍ରତି ବିଶେଷ ଆଗ୍ରହ ପ୍ରକଟ କରିଥିଲେ ।
2015 ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସଠାରେ ଆୟୋଜିତ ସିଓପି-21 ଶିଖର ସମ୍ମିଳନୀ ରେ ଯୋଗ ଦେଇଥିଲେ । ଜଳବାୟୁ ପରିବର୍ତ୍ତନକୁ ରୋକିବା ସଂକ୍ରାନ୍ତରେ ଆଲୋଚନା ଲାଗି ସେଠାରେ ବିଶ୍ଵର ତୁଙ୍ଗ ନେତୃବର୍ଗ ଉପସ୍ଥିତ ଥିଲେ । ଶ୍ରୀ ମୋଦୀ ଏହି ସମ୍ମିଳନୀରେ ଜଳବାୟୁ ନ୍ୟାୟ ଏବଂ ଏକ ସ୍ଵଚ୍ଛ ତଥା ସବୁଜ ଭବିଷ୍ୟତ ଗଠନ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ସେ ମତପୋଷଣ କରିଥିଲେ ଯେ ବିକାଶ ଓ ପରିବେଶ ସୁରକ୍ଷା ଉଭୟ ସମାନ୍ତରାଳ ଭାବେ ଗତି କରିବା ଉଚିତ । ତେଣୁ ବିଶ୍ଵ ଏହି ଲକ୍ଷ୍ୟ ହାସଲ କରିବା ସକାଶେ ଅଣ୍ଟା ଭିଡି ପୃଥିବୀକୁ ରକ୍ଷା କରିପାରିବ । ସିଓପି-21 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ହୋଲାଁ ଅନ୍ତରାଷ୍ଟ୍ରୀୟ ସୌର ସହଯୋଗ (International Solar Alliance)ର ଶୁଭାରମ୍ଭ କରିଥିଲେ । ଯାହା ସୌରରଶ୍ମି ସମ୍ପନ୍ନ ରାଷ୍ଟ୍ରମାନଙ୍କୁ ଏକଜୁଟ କରାଇପାରିଛି । ସବୁଜ ବିଶ୍ଵ ସୃଷ୍ଟି ଦିଗରେ ଏହା ଏକ ସଫଳ ପ୍ରୟାସ । ମାର୍ଚ୍ଚ 2016 ରେ ରାଷ୍ଟ୍ରପତି ଓବାମାଙ୍କ ଦ୍ୱାରା ଆୟୋଜିତ ଆଣବିକ ନିରାପତ୍ତା ଶିଖର ସମ୍ମିଳନୀରେ ଶ୍ରୀ ମୋଦୀ ଯୋଗ ଦେଇଥିଲେ । ଯେଉଁଠାରେ ସେ ପରମାଣୁ ନିରାପତ୍ତା ଓ ଶାନ୍ତି ପ୍ରସଙ୍ଗରେ ନିଜର ଚିନ୍ତାଧାରା ବିଶ୍ଵ ନେତୃବର୍ଗଙ୍କ ସହ ବିନିମୟ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଶ୍ଵର ପ୍ରତ୍ୟେକ କ୍ଷେତ୍ର ଉପରେ ଅନେକ ଗୁରତ୍ଵ ଆରୋପ କରିଛନ୍ତି । 2015 ମାର୍ଚ୍ଚ ମାସରେ ତ୍ରିରାଷ୍ଟ୍ରୀୟ ସିସିଲି, ମରିସସ ଏବଂ ଶ୍ରୀଲଙ୍କା ଗସ୍ତ ସମୟରେ ସେ ଭାରତ ମହାସାଗରର କ୍ଷେତ୍ର ଉପରେ ଗୁରୁତ୍ଵ ଆରୋପ କରିଥିଲେ । ସିସିଲିରେ ଶ୍ରୀ ମୋଦୀ ଏକ ତଟୀୟ ରାଡାର ପ୍ରକଳ୍ପର ଶୁଭ ଉନ୍ମୋଚନ କରିଥିଲେ ଯାହା ଭାରତୀୟ ସହଯୋଗରେ ପ୍ରତିଷ୍ଠା କରାଯାଇଛି । ସେହିଭଳି ବାରାକୁଡାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଯୋଗ ଦେଇଥିଲେ ଯାହା ଭାରତ-ମରିସସ ସହଯୋଗର ଆଉ ଏକ ନମୁନା ।
2015 ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ ଫ୍ରାନ୍ସ, ଜର୍ମାନୀ ଏବଂ କାନାଡା । ୟୁରୋପୀୟ ରାଷ୍ଟ୍ର ଓ କାନାଡା ସହ ଅଧିକ ସହଯୋଗ ବୃଦ୍ଧି ଥିଲା ଏହି ଗସ୍ତକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଫ୍ରାନ୍ସ ସହ ଆଣବିକ ଶକ୍ତି ଓ ପ୍ରତିରକ୍ଷା ସମେତ 17ଟି ଚୁକ୍ତିନାମା ଏହି ଗସ୍ତ କାଳରେ ସ୍ଵାକ୍ଷରିତ ହୋଇଥିଲା । ଜର୍ମାନୀରେ ଚାନ୍ସଲେର ଆଞ୍ଜେଲା ମର୍କେଲଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ହାନୋଭର ମେସି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବର୍ଲିନର ଏକ ରେଳଷ୍ଟେସନ ଗସ୍ତରେ ଯାଇ ସେଠାରେ ରେଳ ଆଧୁନିକୀକରଣ ସମ୍ବନ୍ଧରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀଙ୍କ କାନାଡା ଗସ୍ତରେ ଆର୍ଥିକ ସମ୍ପର୍କ, ଶକ୍ତି ଏବଂ ସାଂସ୍କୃତିକ ସହଯୋଗ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି କାନାଡା ଗସ୍ତ ଐତିହାସିକ ଥିଲା । ଦୀର୍ଘ 42 ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ କାନାଡା ଗସ୍ତ ।
ପ୍ରାଚ୍ୟ ପ୍ରତିବେଶୀ ରାଷ୍ଟ୍ରଙ୍କ ସହ ଭାରତର ସମ୍ପର୍କ ସୁଦୃଢ଼ କରିବା ଦିଗରେ ପ୍ରଧାନମନ୍ତ୍ରୀ ମହତ୍ଵପୂର୍ଣ୍ଣ ଉଦ୍ୟମ କରିଛନ୍ତି । 2014 ମସିହା ଅଗଷ୍ଟ ମାସରେ ସେ ଜାପାନ ଗସ୍ତ ରେ ଯାଇଥିଲେ ଓ ଏହି ଗସ୍ତ ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ଶିଳ୍ପ, ପ୍ରଯୁକ୍ତି, ସରକାରଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ଆଦି କ୍ଷେତ୍ରରେ ବ୍ୟାପକ ସହଯୋଗ ରାଜିନାମାମାନ ସ୍ଵାକ୍ଷରିତ ହୋଇଥିଲା । 2015 ମସିହା ମେ ମାସରେ ପ୍ରଧାନମନ୍ତ୍ରୀ ଚୀନ ଗସ୍ତ କରିଥିଲେ ଏବଂ ସିଆନଠାରେ ତାଙ୍କୁ ବିଶେଷ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜଧାନୀ ବେଜିଂ ବାହାରେ ଚୀନ ସରକାର କୌଣସି ଜଣେ ବିଶ୍ଵ ନେତାଙ୍କୁ ଏଭଳି ସ୍ଵତନ୍ତ୍ର ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାରେ ଏହା ଥିଲା ବିରଳ ଘଟଣା । ସେହିଭଳି ପ୍ରଧାନମନ୍ତ୍ରୀ ମଙ୍ଗୋଲିଆ ଗସ୍ତ କରିଥିଲେ ଓ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ମଙ୍ଗୋଲିଆ ଗସ୍ତ । ଏହି କ୍ଷେତ୍ରର ଅନ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଦକ୍ଷିଣ କୋରିଆ ଗସ୍ତରେ ଯାଇ ସେ ଦେଶର ପ୍ରମୁଖ ସିଇଓମାନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ଏକ ଜାହାଜ ମରାମତି କାରଖାନା ପରିଦର୍ଶନ କରିଥିଲେ ଓ ଭାରତରେ ପୁଞ୍ଜି ନିବେଶ ପାଇଁ କୋରିଆର ଶିଳ୍ପପତି ଓ ନିବେଶକାରୀମାନଙ୍କୁ ଆହ୍ଵାନ ଜଣାଇଥିଲେ ।
2015 ମସିହା ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଂଚଟି କେନ୍ଦ୍ର ଏସୀୟ ପ୍ରଜାତନ୍ତ୍ର - ଉଜବେକିସ୍ତାନ, କାଜାଖସ୍ତାନ, ତୁର୍କମେନିସ୍ତାନ, ତାଜିକିସ୍ତାନ ଏବଂ କିରଗିଜସ୍ତାନ ଗସ୍ତ କରିଥିଲେ । ତାଙ୍କର ଗସ୍ତ ଏହି କ୍ଷେତ୍ର ସହ ଭାରତର ସମ୍ପର୍କରେ ଏକ ବିରାଟ ପରିବର୍ତ୍ତନ ଘଟାଇଥିଲା । କେନ୍ଦ୍ର ଏସୀୟ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଶକ୍ତିଠାରୁ ଆରମ୍ଭ କରି ସାଂସ୍କୃତିକ ସମ୍ପର୍କ, ଆର୍ଥିକ ସହଯୋଗ ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ପଶ୍ଚିମ ଏସିଆ ସହ ଭାରତର ଦୀର୍ଘଦିନର ସୁସଂପର୍କକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ପ୍ରଦାନ କରନ୍ତି । ଏହି ମର୍ମରେ ଏହାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । 2016 ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ସାଉଦୀ ଆରବ ଗସ୍ତରେ ଯାତ୍ରା କରିଥିଲେ । ଏହି ରାଷ୍ଟ୍ରସହ କୂଟନୈତିକ ଓ ଆର୍ଥିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଶ୍ରୀ ମୋଦୀ ସେ ଦେଶର ନେତୃବର୍ଗ ଏବଂ ପ୍ରମୁଖ ବ୍ୟବସାୟୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏକ ଗୁରୁତ୍ଵପୂର୍ଣ୍ଣ ଘଟଣାକ୍ରମରେ ଶ୍ରୀ ମୋଦୀ ସେଠାକାର L&T ଶିବିର ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ସହ ମିଶି ଏକତ୍ର ଜଳଖିଆ ଖାଇଥିଲେ । ଶ୍ରମିକମାନଙ୍କ କଠିନ ଶ୍ରମ ଓ ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ। 2015 ମସିହା ଅଗଷ୍ଟ ମାସରେ ଶ୍ରୀ ମୋଦୀ ସଂଯୁକ୍ତ ଆରବ ଅମିରତନ୍ତ୍ର (UAE)କୁ ଐତିହାସିକ ଗସ୍ତ କରିଥିଲେ ଏବଂ ଏହି ଗସ୍ତ ସମୟରେ ଅନେକ କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗ ଘେନି ଆଲୋଚନା କରାଯାଇଥିଲା ।
ଭାରତ ମଧ୍ୟ ଏହି ସମୟ ମଧ୍ୟରେ ପ୍ରମୁଖ ବିଶ୍ଵ ନେତୃବର୍ଗଙ୍କୁ ସ୍ଵାଗତ କରିଛି । 2015 ମସିହା ଜାନୁଆରୀ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସି ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଓବାମା ଭାରତ ଓ ଆମେରିକୀୟ ବ୍ୟବସାୟିକ ନେତୃବର୍ଗଙ୍କୁ ମିଳିତ ଭାବେ ସମ୍ବୋଧିତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । 2014 ମସିହା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ଭାରତ ଗସ୍ତ ରେ ଆସିଥିଲେ ଏବଂ ସେହି ମାସରେ ଭାରତ ଗସ୍ତ କରିଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟଠାରେ ସ୍ଵାଗତ କରିଥିଲେ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ 2014 ମସିହା ଡିସେମ୍ବର ମାସରେ ଏକ ଗୁରୁତ୍ଵପୂର୍ଣ୍ଣ ଭାରତ ଗସ୍ତରେ ଆସିଥିଲେ ଏବଂ ଏହି ଅବସରରେ ଆଣବିକ ଓ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଘେନି ବ୍ୟାପକ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶାନ୍ତ ମହାସାଗରୀୟ ଦ୍ଵୀପରାଷ୍ଟ୍ରମାନଙ୍କ ସହ ମଧ୍ୟ କଥାବାର୍ତ୍ତା ଜାରି ରଖିଛନ୍ତି । 2014 ମସିହା ନଭେମ୍ବର ମାସରେ ତାଙ୍କ ଫିଜି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶାନ୍ତ ମହାସାଗର କ୍ଷେତ୍ରର ସମସ୍ତ ନେତୃବର୍ଗଙ୍କୁ ଭେଟିଥିଲେ । ଏହି କ୍ଷେତ୍ର ସହ ଭାରତର ସମ୍ପର୍କକୁ ନିବିଡ କରିବା ନେଇ ସେ ବିସ୍ତୃତ ଆଲୋଚନା କରିଥିଲେ । ସେହି ବର୍ଷ ଆଫ୍ରିକୀୟ ନେତୃବର୍ଗ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଶିଖର ବୈଠକରେ ଏକତ୍ରିତ ହୋଇଥିଲେ । ଗତ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆରବ ନେତୃବର୍ଗଙ୍କୁ ଭେଟିଛନ୍ତି ଓ ଆରବ କ୍ଷେତ୍ର ସହ ଭାରତ କିପରି ତାର ସଂପର୍କ ବୃଦ୍ଧି କରିବ ସେ ଦିଗରେ ଆଲୋଚନା କରିଛନ୍ତି । ଭାରତ ପାଇଁ ଏହି କ୍ଷେତ୍ର ସଦାବେଳେ ଏକ ନିର୍ଭରେଯାଗ୍ୟ ବନ୍ଧୁତାର ଭୂମିକା ଗ୍ରହଣ କରିଆସିଛି ।
ଯେତେବେଳେ ବି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିଥାନ୍ତି, ତାଙ୍କ ଗସ୍ତ ବିଭିନ୍ନ ବୈଠକ ଓ ଗୁରୁତ୍ଵପୂର୍ଣ୍ଣ ଘଟଣାକ୍ରମରେ ଭରପୂର ହୋଇଥାଏ ଯାହାକି ଭାରତର ଭିତ୍ତିଭୂମି ବିକାଶ ଓ ନିବେଶ ବୃଦ୍ଧି ଦିଗରେ ଉଦ୍ଧିଷ୍ଟ । ତାଙ୍କର ପ୍ରତ୍ୟେକ ଗସ୍ତ ସମୟରେ ଶକ୍ତି, ବିନିର୍ମାଣ, ନିବେଶ, କୌଶଳ ବିକାଶ, ଭିତ୍ତିଭୂମି ଭଳି ପ୍ରସଙ୍ଗ ଅଗ୍ରପ୍ରାଧାନ୍ୟ ଲାଭ କରିଥାଏ । ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ ଗସ୍ତ ଭାରତବାସୀଙ୍କ ପାଇଁ କିଛି ନୂତନତ୍ଵ ଆଣିବାରେ ସହାୟକ ହୋଇଛି ।