ମୁଁ ଦୃଢ଼ ଭାବେ ବିଶ୍ୱାସ କରେ ଯେ ଭାରତ ପାଖରେ ଲୁକ୍କାୟିତ ଭାବେ ଅନେକ ଉଦ୍ୟୋଗ ଶକ୍ତି ରହିଛି । ଏହାର ସଠିକ ଉପଯୋଗ କରାଯିବା ଦରକାର । ତେବେ ଯାଇ ଆମେ ଚାକିରି ଖୋଜୁଥିବା ଏକ ଦେଶ ପରିବର୍ତ୍ତେ ଚାକିରି ପ୍ରଦାନ କରୁଥିବା ଦେଶ ହୋଇପାରିବା
-ନରେନ୍ଦ୍ର ମୋଦୀ
ଉଦ୍ୟୋଗ କ୍ଷେତ୍ରରେ ଉନ୍ନତି ଆଣିବା ନେଇ ଏନଡିଏ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଭାରତରେ ଉଦ୍ୟୋଗର ବିକାଶ ଲାଗି ‘ମେକ ଇନ ଇଣ୍ଡିଆ’ ପଦକ୍ଷେପ 4 ଟି ସ୍ତମ୍ଭ ଉପରେ ପର୍ଯ୍ୟବେଶିତ । ଏହା କେବଳ ନିର୍ମାଣ କ୍ଷେତ୍ରରେ ନୁହେଁ ବରଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ଆଧାରିତ ।
ନୂତନ ପଦକ୍ଷେପ: ଉଦ୍ୟୋଗ ବିକାଶ ପାଇଁ ସହଜରେ ବ୍ୟବସାୟ କରିବା ପ୍ରକ୍ରିୟାକୁ ‘ମେକ ଇନ ଇଣ୍ଡିଆ’ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରେ ।
ନୂତନ ଭିତ୍ତିଭୂମି: ଶିଳ୍ପର ବିକାଶ ପାଇଁ ଅତ୍ୟାଧୁନିକ ସହାୟକ ଭିତ୍ତିଭୂମିର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ । ସରକାର ଉନ୍ନତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ସମସ୍ତ ଆନୁସଙ୍ଗିକ ସୁବିଧା ଓ ଅତି ଶୀଘ୍ର ଯୋଗାଯୋଗ ବ୍ୟବସ୍ଥା ଥିବା ଶିଳ୍ପ କରିଡର ଓ ସ୍ମାର୍ଟ ସିଟି ନିର୍ମାଣ କରିବାକୁ ଚାହୁଁଛନ୍ତି ।
ନୂତନ କ୍ଷେତ୍ର: ‘ମେକ ଇନ ଇଣ୍ଡିଆ’ ନିର୍ମାଣ, ଭିତ୍ତିଭୂମି ଓ ସେବା ଆଦିରେ 15ଟି ନୂତନ କ୍ଷେତ୍ରର ସନ୍ଧାନ କରିଛି ଓ ଏଗୁଡ଼ିକ ସମ୍ବନ୍ଧରେ ପୂର୍ଣ୍ଣ ସୂଚନା ସମସ୍ତ ଅଂଶୀଦାରମାନଙ୍କୁ ପ୍ରଦାନ କରାଯାଉଛି ।
ନୂତନ ମାନସିକତା: ସରକାରଙ୍କୁ ଏକ ନିୟାମକ ଭାବେ ଦେଖିବାରେ ଶିଳ୍ପକ୍ଷେତ୍ର ଅଭ୍ୟସ୍ତ । ମାତ୍ର ସରକାର ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ସହିତ କିପରି ବ୍ୟବହାର କରୁଛନ୍ତି ସେଥିରେ ଏକ ବଡ ଧରଣର ରୂପାନ୍ତରଣ ଆଣିବା ପାଇଁ ‘ମେକ ଇନ ଇଣ୍ଡିଆ’ ଲକ୍ଷ୍ୟ ରଖିଛି । ସରକାର ଶିଳ୍ପ କ୍ଷେତ୍ରରେ ଜଣେ ନିୟାମକ ନୁହେଁ ବରଂ ଜଣେ ପ୍ରୋତ୍ସାହକର ଭୂମିକା ନିର୍ବାହ କରିବେ ।
ଉଦ୍ୟୋଗର ବିକାଶ ପାଇଁ ସରକାର ଏକ ତ୍ରିସ୍ତରୀୟ ପଦ୍ଧତି ସ୍ଥିର କରିଛନ୍ତି । 3ଟି ସି ମଡେଲ ଉପରେ କାର୍ଯ୍ୟ କରାଯାଉଛି ଏବଂ ସେଗୁଡ଼ିକ ହେଲା: କମ୍ପ୍ଲିଏନ୍ସ(ସ୍ୱୀକୃତି), କେପିଟାଲ (ପୁଞ୍ଜି) ଓ କଂଟ୍ରାକ୍ଟ ଏନଫୋର୍ସମେଂଟ (ଚୁକ୍ତି ସ୍ୱାକ୍ଷର) ।
ସ୍ୱୀକୃତି
‘ବ୍ୟବସାୟ କରିବା ପାଇଁ ସହଜତା’ କ୍ଷେତ୍ରରେ ବିଶ୍ୱବ୍ୟାଙ୍କ ତରଫରୁ କରାଯାଇଥିବା ମାନ୍ୟତାରେ ଭାରତ ଦୃତ ପ୍ରଗତି ହାସଲ କରି 130ତମ ସ୍ଥାନରେ ପହଂଚିଛି । ନୂତନ ବ୍ୟବସାୟ ଆରମ୍ଭ କରିବା ପୂର୍ବ ତୁଳନାରେ ସହଜ ହୋଇଛି । ଅଯଥା ବାଧା ସବୁକୁ ଦୂର କରାଯାଇଛି ଏବଂ ଅଧିକାଂଶ ଅନୁମତି ଅନଲାଇନ ମାଧ୍ୟମରେ ମିଳିପାରୁଛି ।
ଶିଳ୍ପ ଲାଇସେନ୍ସ(ଆଇଏଲ) ଓ ଶିଳ୍ପଦ୍ୟୋଗ ମେମୋରାଣ୍ଡମ(ଆଇଏମ) ଆବେଦନର ପ୍ରକ୍ରିୟା ବ୍ୟବସ୍ଥା ଅନଲାଇନ ମାଧ୍ୟମରେ କରାଯାଇଛି ଓ ଉଦ୍ୟୋଗୀମାନଙ୍କ ପାଇଁ ଏହି ବ୍ୟବସ୍ଥା 24x7 ଘଂଟା ଉପଲବ୍ଧ ହେବ ।
ପ୍ରାୟ 20ଟି ସେବାକୁ ଏକାଠି କରାଯାଇଛି ଓ ବିଭିନ୍ନ ସରକାରୀ ଏଜେନ୍ସି ଦ୍ୱାରା ଏହାର ଅନୁମୋଦନ ପାଇଁ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ମାଧ୍ୟମରେ ଏଗୁଡ଼ିକ ପରିଚାଳନା କରାଯିବ ।
ବିଶ୍ୱ ବ୍ୟାଙ୍କ ଏବଂ କେପିଏମଜିର ସମର୍ଥନ କ୍ରମେ ଭାରତ ସରକାର, ରାଜ୍ୟଗୁଡ଼ିକରେ ବ୍ୟବସାୟୀକ ସଂସ୍କାର କାର୍ଯ୍ୟକାରୀ ହେଉଛି କି ନାହିଁ ସେ ନେଇ ଏକ ଆକଳନ କରିଥିଲେ । ଏହି ମାନ୍ୟତା ବ୍ୟବସ୍ଥା ଦ୍ୱାରା ରାଜ୍ୟଗୁଡ଼ିକ ପରସ୍ପରଠାରୁ ଶିକ୍ଷାଲାଭ କରିବେ ଏବଂ ପରସ୍ପରର ସଫଳତାକୁ ଅନୁକରଣ କରିବେ । ଏହାଫଳରେ ଦେଶବ୍ୟାପୀ ବାଣିଜ୍ୟିକ ନିୟାମକ କ୍ଷେତ୍ରରେ ଉନ୍ନତ ପରିବେଶ ସୃଷ୍ଟି ହେବ ।
ଭାରତରେ ପୁଂଜିନିବେଶକୁ ଉତ୍ସାହିତ କରିବା ପାଇଁ ସରକାର ମଧ୍ୟ ବୈଦେଶିକ ପୁଞ୍ଜିନିବେଶ ନୀତିକୁ କୋହଳ କରିଛନ୍ତି ।
ପୁଞ୍ଜି
ଭାରତରେ ଥିବା ପ୍ରାୟ 5.8 କୋଟି ଅଣ-କର୍ପୋରେଟ ଉଦ୍ୟୋଗଗୁଡ଼ିକ 1.28 କୋଟି ନିଯୁକ୍ତି ପ୍ରଦାନ କରିଥାନ୍ତି । ଏଥିମଧ୍ୟରୁ ଶତକଡା 60 ପ୍ରତିଶତ ଗ୍ରାମାଂଚଳରେ କାର୍ଯ୍ୟ କରିଥାନ୍ତି । ଏଥିରୁ ଶତକଡା 40 ପ୍ରତିଶତର ମାଲିକ ହେଉଛନ୍ତି ପଛୁଆବର୍ଗର ଏବଂ ଶତକଡା 15 ପ୍ରତିଶତ ହେଉଛନ୍ତି ହରିଜନ ଓ ଆଦିବାସୀ ଶ୍ରେଣୀର । ମାତ୍ର ବ୍ୟାଙ୍କ ଋଣ ମାଧ୍ୟମରେ ସେମାନେ ଖୁବ କମ ଅଂଶରେ ଆର୍ଥିକ ସହାୟତା ପାଇଥାନ୍ତି । ଅଧିକାଂଶଙ୍କୁ ଆଦୌ ବ୍ୟାଙ୍କ ଋଣ ମିଳିନଥାଏ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଅର୍ଥବ୍ୟବସ୍ଥାରେ ସବୁଠାରୁ ଅଧିକ ନିଯୁକ୍ତି ପ୍ରଦାନ କରୁଥିବା କ୍ଷେତ୍ରକୁ ସବୁଠାରୁ କମ ଋଣ ମିଳେ । ଏପରି ପରିସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ମୁଦ୍ରା ବ୍ୟାଙ୍କର ଆରମ୍ଭ କରିଛନ୍ତି ।
ଚଢ଼ା ଦରରେ ସୁଧ ପରିଶୋଧ କରୁଥିବା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସୁବିଧାରେ ଓ ମୁକ୍ତ ଋଣ ପ୍ରଦାନ କରାଯିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି । ଆରମ୍ଭ ହେବାର ଖୁବ କମ ସମୟ ମଧ୍ୟରେ ଏହି ଯୋଜନା ମାଧ୍ୟମରେ 65,000 କୋଟି ଟଙ୍କାର 1.18 କୋଟି ଋଣ ପ୍ରଦାନ କରାଯାଇଛି । ପୂର୍ବ ବର୍ଷ ତୁଳନାରେ 2015 ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ 50,000 ଟଙ୍କା ତଳକୁ ଏହି ଋଣ ପାଇଥିବା ବ୍ୟକ୍ତିମାନଙ୍କର ପ୍ରଗତି ହାର ଶତକଡା 555 ପ୍ରତିଶତ ହୋଇଛି ।
ଚୁକ୍ତି ସ୍ୱାକ୍ଷର
ବୁଝାମଣାକୁ ସୁବିଧାଜନକ ଓ ସହଜ ଲବ୍ଧ କରିବା ପାଇଁ ଆର୍ବିଟ୍ରେସନ (ମଧ୍ୟସ୍ଥତା) ନିୟମକୁ ପରିବର୍ତ୍ତିତ କରାଯାଇଛି । ସମୟ ନିର୍ଘଣ୍ଟ ସ୍ଥିର କରାଯାଇ ଦୃତ ନିଷ୍ପତ୍ତି ଗ୍ରହଣ କରାଯିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବିଚାର ବିଭାଗୀୟ ବେଞ୍ଚ ଗଠନ କରାଯାଇ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।
ସରକାର ମଧ୍ୟ ଏକ ଆଧୁନିକ ବ୍ୟାଙ୍କରପ୍ସି କୋଡ୍ ଆଣିଛନ୍ତି ଯାହାଫଳରେ କି ବର୍ତ୍ତମାନ ଚାଲିଥିବା ବ୍ୟବସାୟିକ କାରବାର ସହଜ ହୋଇପାରିବ ।