PM Modi inaugurates first National Tribal Carnival in New Delhi
Despite several challenges, the tribal communities show us the way how to live cheerfully: PM
It is necessary to make the tribal communities real stakeholders in the development process: PM
Government is committed to using modern technology for development which would minimize disturbance to tribal settlements: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ପ୍ରଥମ ରାଷ୍ଟ୍ରୀୟ ଜନଜାତି ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ରାଜ୍ୟରୁ ସମବେତ ହୋଇଥିବା ଜନଜାତି ସଂପ୍ରଦାୟର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ । ପାରମ୍ପରିକ ବେଶ ପୋଷକରେ ଭୂଷିତ ଆଦିବାସୀମାନେ ଏକ ବର୍ଣ୍ଣାଢ୍ୟ ପରେଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ରାଜ୍ୟର ଆଦିବାସୀ ଲୋକସଂସ୍କୃତିର ପରିସ୍ଫୁଟନ ଘଟିଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ ଦୀପାବଳୀର ପାର୍ବଣ ଋତୁରେ ସାରା ଦେଶର ଆଦିବାସୀ ଗୋଷ୍ଠିମାନେ ଦିଲ୍ଲୀରେ ନିଜର ସମୃଦ୍ଧ ସାଂସ୍କୃତିକ ବିବିଧତା ପ୍ରଦର୍ଶନ ପାଇଁ ସମବେତ ହୋଇଛନ୍ତି । ଏହା ଅତ୍ୟନ୍ତ ସୁଃଖଦ ଓ ମନ ମୁଗ୍ଧକର । ଏହି ସମାରୋହରେ ଆଦିବାସୀ ଯୁବଗୋଷ୍ଠି ସେମାନଙ୍କର ସାମର୍ଥ ପ୍ରଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ହେଉଛି ବିବିଧତାର ଏକ ମହାନ ଭୂଖଣ୍ଡ । ଆଜି ଉଦ୍ଘାଟନୀ ସମାରୋହରେ ପ୍ରଦର୍ଶନୀ ହୋଇଥିବା ପରେଡ ଆମ ସାଂସ୍କୃତିକ ବିବିଧତାରେ ଏକ କ୍ଷୁଦ୍ର ଝଲକ ମାତ୍ର । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିବାସୀମାନଙ୍କର ଜୀବନ ସଂପୂର୍ଣ୍ଣ ରୂପେ ସଂଘର୍ଷମୟ । ପ୍ରକୃତିର କୋଳରେ ବଂଚିଥିଲେ ମଧ୍ୟ ସେମାନଙ୍କୁ ବହୁ ଘାତ ପ୍ରତିଘାତ ଦେଇ ଜୀବନ ବିତାଇବାକୁ ପଡିଥାଏ । ତଥାପି ସେମାନେ ନିଜର ସଂସ୍କୃତି, ମହାନ ରୁଚି, ସୁନ୍ଦର ଜୀବନ ଶୈଳୀ, କଠିନ ପରିଶ୍ରମ ଓ ଅଧ୍ୟବସାୟ ଏବଂ ଆଦର୍ଶକୁ ପରିହାର କରିନଥାନ୍ତି ସଦାସର୍ବଦା ସେମାନେ ଚଳ ଚଂଚଳ ଓ ଆନନ୍ଦ ମୁଖର ଥାଆନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ତାଙ୍କ ଯୁବା ବୟସରେ ଆଦିବାସୀ ଭାଇ ଭଉଣୀମାନଙ୍କ ଗହଣରେ ରହି କିଛି ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପାଇଥିଲେ । କେବେହେଲେ ସେମାନଙ୍କ ମୁଖରୁ ଆପତି ଅଭିଯୋଗର ଶବ୍ଦ ଆସୁନଥିଲା । ଆଦିବାସୀମାନଙ୍କର ଏହି ଚଳଣୀ ଓ ଜୀବନଚର୍ଯ୍ୟାରୁ ସହରୀ ଲୋକେ ଅନେକ କିଛି ଜୀବନର ତତ୍ଵ ଶିଖିବାର ଅଛି । ଆଦିବାସୀମାନଙ୍କର ଆଉ ଏକ ବୈଶିଷ୍ଟ୍ୟ ମଧ୍ୟ ଅତି ବିଚିତ୍ର । ସେମାନେ ସ୍ଥାନୀୟ ଭାବେ ମିଳୁଥିବା ବିଭିନ୍ନ ସାମଗ୍ରୀରୁ ନୂଆ ନୂଆ ଆଖି ଝଲସିଆ ସାମଗ୍ରୀ ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ । ଆଜିକାଲିର ବଜାରରେ ଏସବୁର ଅନେକ ଚାହିଦା ରହିଛି ।

 ଏଥିଲାଗି ବଜାର ସୃଷ୍ଟି କରାଗଲେ ଆଦିବାସୀମାନଙ୍କର ଆର୍ଥିକ ଅବସ୍ଥାକୁ ସ୍ଵଚ୍ଛଳ ଏବଂ ସଶକ୍ତ କରାଯାଇପାରିବ । ଭାଷଣ ଛଳରେ ପ୍ରଧାନମନ୍ତ୍ରୀ ଆଦିବାସୀମାନଙ୍କର ବିଭିନ୍ନ ନବ ସୃଜନ କୌଶଳ ଓ ସାମର୍ଥ୍ୟର ଉଦାହରଣକୁ ଅବତାରଣା କରିଥିଲେ । ଏପ୍ରକାର ଆବିଷ୍କାରିତା ମନୋବୃତ୍ତି ଆଦିବାସୀ ସଂପ୍ରଦାୟର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଯେଉଁଥିରୁ କି ଆମେ ଅନେକ କିଛି ଶିଖିବାର ଅଛି । ଭାରତୀୟ ଆଦିବାସୀମାନଙ୍କର ସାମର୍ଥ୍ୟ ଓ ଦକ୍ଷତାକୁ ଦୃଷ୍ଟିରେ ରଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ, କେନ୍ଦ୍ରରେ ପ୍ରଥମ କରି ସ୍ଵତନ୍ତ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଗଠନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିବାସୀ ସଂପ୍ରଦାୟ ମଧ୍ୟରେ ପରିବର୍ତ୍ତନ ଉପର ପ୍ରଶାସନିକ ସ୍ତରରୁ ଅଣାଯାଇପାରିବ ନାହିଁ । ଜନଜାତି ସଂପ୍ରଦାୟକୁ ବିକାଶ ପ୍ରକ୍ରିୟାର ପୂର୍ଣ୍ଣ ଭାଗିଦାର କରାଗଲେ ହିଁ ପରିବର୍ତ୍ତନ ସମ୍ଭବ ହେବ । ଏହି ସନ୍ଦର୍ଭରେ ସେ ବନବନ୍ଧୁ କଲ୍ୟାଣ ଯୋଜନା ସଂପର୍କରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଆଦିବାସୀ ସଂପ୍ରଦାୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ତାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଭାରତର ଅଧିକାଂଶ ଅଂଚଳରେ ଯେଉଁଠି ପ୍ରାକୃତିକ ଓ ବନ ସମ୍ପଦ ଭରପୂର ରହିଛି ସେଠାରେ ହିଁ ଆଦିବାସୀ ସଂପ୍ରଦାୟ ରହିଛନ୍ତି । ସେମାନେ ପ୍ରାକୃତିକ ବିଭବକୁ ସଂରକ୍ଷିତ ରଖିବାରେ ମହନୀୟ ଭୂମିକା ଗ୍ରହଣ କରିଛନ୍ତି । ଏଣୁ ପ୍ରାକୃତିକ ସଂପଦର ଉପଯୋଗ କରାଯିବା ସମୟରେ ଆଦିବାସୀମାନେ ଯେପରି ଶୋଷିତ ଓ ଅବହେଳିତ ନ ହେବେ ସେ ଦିଗରେ ଯତପରୋନାସ୍ତି ଉଦ୍ୟମ କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କେନ୍ଦ୍ରୀୟ ବଜେଟରେ ଜିଲା ଖଣିଜ ଫାଉଣ୍ଡେସନ ଗଠନର ବିଧି ବ୍ୟବସ୍ତା କରାଯାଇଛି । ଏହି ଫାଉଣ୍ଡେସନରୁ ଆବଶ୍ୟକ ଅର୍ଥକୁ ଖଣି ଖଦାନ ଅଂଚଳରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ବିକାଶ ଦିଗରେ ଉପେଯାଗ କରାଯିବ । ଖଣିଜ ସମୃଦ୍ଧ ଜିଲାର ବିକାଶ ପାଇଁ ଏହି ନିର୍ଦ୍ଧାରିତ ପାଣ୍ଠିରୁ ବିପୁଳ ଅର୍ଥ ମିଳିପାରିବ । ଖଣି ଅଂଚଳରେ କୋଇଲା ବାଷ୍ପୀକରଣ ଏବଂ ଭୂତଳ ଖନନ ପାଇଁ ଅତ୍ୟାଧୂନିକ ପ୍ରଯୁକ୍ତି କୌଶଳର ବ୍ୟବହାର ଲାଗି ତାଙ୍କ ସରକାର ପ୍ରତିଶୃତିବଦ୍ଧ । ଏହା ପ୍ରଦୂଷଣକୁ ହ୍ରାସ କରିବା ସହ ଆଦିବାସୀମାନଙ୍କ ଜନବସତି ଉପରେ ଅତି କମ୍ ପ୍ରଭାବ ପକାଇବ । ଆଦିବାସୀ ଅଂଚଳରେ ସହରାଂଚଳର ମୌଳିକ ସୁବିଧା ସୁଯୋଗ ପ୍ରଦାନ ଲାଗି ଅଭିବୃଦ୍ଧି କେନ୍ଦ୍ର ପ୍ରତିଷ୍ଠା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ ।