ଜଣେ ରାଜନେତାଙ୍କ ପାଇଁ ଭୋଟ ଗଣତିର ଦିନ ଅତୀବ ଗୁରୁତ୍ୱପୂର୍ଣ୍ଣ । ଏହା ତାଙ୍କ ସକାଶେ ବିଚାରର ଦିବସ । ଅର୍ଥାତ୍, ତାହା ଜଣେ ରାଜନେତା ଓ ତାଙ୍କ ଦଳର କାର୍ଯ୍ୟଧାରା ଅନ୍ତତଃ ପକ୍ଷେ ଆଗାମୀ ପାଞ୍ଚ ବର୍ଷ ସକାଶେ ସେହି ଦିନ ନିର୍ଦ୍ଧାରିତ ହୋଇଥାଏ ।
ତେଣୁ ଜଣେ ରାଜନେତାଙ୍କ ପାଇଁ ଏହା ସ୍ୱାଭାବିକ ଯେ ଯେତେବେଳେ ଭୋଟଗଣନା ଚାଲିଥାଏ ସେତେବେଳେ ସେ ଅଧିକ ଚଳଚଞ୍ଚଳ ଓ ଉଦବିଗ୍ନ ହୋଇପଡ଼ିଥାନ୍ତି । ଅଧିକାଂଶ ସମୟରେ ନେତାମାନେ ସେମାନଙ୍କ ଟେଲିଭିଜନ ପର୍ଦ୍ଦାକୁ ବାରମ୍ବାର ଦେଖିଥାନ୍ତି । ଦଳୀୟ ନେତାମାନେ ଗଣତିର ସଦ୍ୟତମ ଧାରା ଓ ଫଳାଫଳ ଖବର ସହ କୋଠରୀକୁ ପଶି ତାଙ୍କୁ ସେସବୁ ଅବଗତ କରାଇଥାନ୍ତି ।
କିନ୍ତୁ ଏହି ଚିରାଚରିତ ଧାରାର ଏକ ବିରଳ ବ୍ୟତିକ୍ରମ ହେଲେ ଶ୍ରୀ ନରେନ୍ଦ୍ର ମୋଦି ।
ସେ କଣ ଟିଭି ପର୍ଦ୍ଦାକୁ ବାରମ୍ବାର ଦେଖିଥାନ୍ତି ? ନା !
ତାଙ୍କ କୋଠରୀ କଣ ସହଯୋଗୀ ଓ ସମର୍ଥକଙ୍କ ଗହଣରେ ଭରପୂର ହୋଇଉଠେ, ସେମାନେ ତାଙ୍କୁ ନିର୍ବାଚନର ସଦ୍ୟତମ ଧାରା ସଂପର୍କରେ ଅବଗତ କରାଇଥାନ୍ତି ? ନା !
ତା’ହେଲେ ସେ କରନ୍ତି କଣ ?
ସବୁ ଦୃଷ୍ଟିରୁ, ସବୁଦିନ ଭଳି ସେହି ଦିନଟିରେ ତାଙ୍କ ଦୈନନ୍ଦିନ କାର୍ଯ୍ୟ ସ୍ୱାଭାବିକ ଧାରାରେ ଚାଲିଥାଏ । କୌଣସି ପ୍ରକାର ବ୍ୟତିକ୍ରମ ବିନା ସେ ତାଙ୍କର ପ୍ରତିଦିନର କାର୍ଯ୍ୟକୁ ନେଇ ବ୍ୟସ୍ତ ରହନ୍ତି ।
2014 ମସିହା ମେ’ 16 ତାରିଖ ଦିନ ଯେତେବେଳେ ସାରା ବିଶ୍ୱ ଭାରତର ନିର୍ବାଚନ ଫଳାଫଳ ଜାଣିବାକୁ ନେଇ ଉତ୍କଣ୍ଠା ଓ ଉଦବିଗ୍ନ ଥିଲା, ସେ ଦିନ ବିଜୟୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ସମଗ୍ର ନିର୍ବାଚନ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ପାଲଟି ସାରିଥିବା ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିୟମିତ କାର୍ଯ୍ୟ ଯଥାରୀତି କରି ଚାଲିଥାନ୍ତି । ଶ୍ରୀ ରାଜନାଥ ସିଂହଙ୍କ ଠାରୁ ଆସିଥିବା ପ୍ରଥମ ଟେଲିଫୋନ୍ କଲ (Call)ର ସେ ଉତ୍ତର ଦେଇଥିଲେ ଓ ତାପରେ ତାଙ୍କ ମାଆ ଓ ଶ୍ରୀ କେଶୁଭାଇ ପଟେଲଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ ।
2002, 2007 ଏବଂ 2012 ମସିହାରେ ବାରମ୍ବାର ଏହି ଗୋଟିଏ କଥା ସେ ଦୋହରାଇଥିଲେ ।
ଯେଉଁ ବ୍ୟକ୍ତି ଜୀବନରେ କେବେସୁଦ୍ଧା ଉଚ୍ଚ ପଦପଦବୀରେ ଆସୀନ ହେବାକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିନାହାନ୍ତି, ତାଙ୍କ ପାଇଁ ନିର୍ବାଚନ ଫଳାଫଳ ଘୋଷଣାର ଦିନ ବି ଅନ୍ୟ ଯେକୌଣସି ସାଧାରଣ ଦିନ ସଙ୍ଗେ ସମାନ । ଜନସାଧାରଣ ଯାହା କିଛି ନିର୍ଣ୍ଣୟ କରିବେ, ତାହାକୁ ସେ ମଥାପାତି ବିନମ୍ରତାର ସହ ଗ୍ରହଣ କରିନେବେ ।