1980ରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଖ୍ୟାତି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘରେ ବୃଦ୍ଧିପାଇବା ଓ 1990ର ପ୍ରାରମ୍ଭରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାର ସମୟ ସ୍ୱାଧୀନ ଭାରତର ଏକ କଠିନ ସମୟ ସହ ମେଳ ଖାଇଯାଉଥିଲା । ଭାରତବ୍ୟାପୀ ଏହି ସମୟରେ ସଂଘର୍ଷ ଚାଲିଥିଲା ଏବଂ କେନ୍ଦ୍ର ଏହି ବିଭେଦକୁ ଦେଖିପାରୁଥିଲେ ମଧ୍ୟ ନିରୁପାୟ ହୋଇ ଚାହିଁରହିଥିଲା । ପଞ୍ଜାବ ଓ ଆସାମରେ ଏହି ସଙ୍ଘର୍ଷ ଥିଲା ବ୍ୟାପକ । ଏହାଫଳରେ ମାତୃଭୂମିର ସଂହତି ଓ ସାର୍ବଭୌମତ୍ୱ ସଙ୍କଟରେ ପଡିଥିଲା । ଦେଶଭିତରେ ମଧ୍ୟ ବିଭେଦର ରାଜନୀତି ବ୍ୟାପକ ହେଉଥିଲା । ଗୁଜୁରାଟର ଘରୋଇ ଶବ୍ଦକୋଷରେ କର୍ଫ୍ୟୁ ଏକ ସାଧାରଣ ଶବ୍ଦରେ ପରିଣତ ହୋଇଥିଲା । ଭୋଟବ୍ୟାଙ୍କ ରାଜନୀତି ପାଇଁ ଭାଇ-ଭାଇ ମଧ୍ୟରେ ଓ ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ୟରେ ଲଢ଼େଇ ଲାଗିଥିଲା ।

ଏସବୁ ବିରୋଧରେ ତଥା ସର୍ଦ୍ଦାର ପଟେଲଙ୍କ ଦୁରଦୃଷ୍ଟିକୁ ଆଖିଆଗରେ ରଖି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବାକ୍ ସ୍ୱାଧୀନତାର ସଂକଳ୍ପବଦ୍ଧତାକୁ ନେଇ ଆଗକୁ ବାହାରିଥିଲେ ଶ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ଅନ୍ଧକାରାଛନ୍ନ ପରିସ୍ଥିତି ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦେଶାତ୍ମବୋଧକୁ ଜାଗ୍ରତ କରିଥିଲା । ଏହି ଆଦର୍ଶବାଦର ଯୁଦ୍ଧରେ ସେ ଆରଏସଏସ ଓ ବିଜେପି ପାଇଁ ନିଜର ସର୍ବୋତ୍ତମ ଶକ୍ତି ଖଟାଇ କଠିନ ପରିଶ୍ରମ କରିଥିଲେ । ଅତି ଛୋଟବେଳରୁ ସେ ନିଜକୁ କେବଳ ଜଣେ ଉତ୍ସର୍ଗୀକୃତ କର୍ମୀ ଭାବେ ନୁହେଁ ବରଂ ଜଣେ ଦକ୍ଷ ସଂଗଠକ ଭାବେ ମଧ୍ୟ ପ୍ରତିଷ୍ଠିତ କରିପାରିଥିଲେ । ତେଣୁ ଅସ୍ୱସ୍ତିକର ପରିସ୍ଥିତିକୁ ସେ ଦୃଢ଼ତାର ସହ ସମ୍ମୁଖୀନ ହେବା ସ୍ୱାଭାବିକ ଥିଲା ।

ଅହମଦାବାଦରେ ଏକତା ଯାତ୍ରା ବେଳେ ଶ୍ରୀ ନରେନ୍ଦ୍ର ମୋଦୀ 

1980 ଶେଷ ବେଳକୁ ଭୁସ୍ୱର୍ଗ ଭାବେ ଜଣାଶୁଣା ଦେଶର ଉତ୍ତର ପ୍ରାନ୍ତରେ ଥିବା ରାଜ୍ୟ ଜାମ୍ମୁ-କାଶ୍ମୀର ଏକପ୍ରକାର ବଡ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଯାଇଥିଲା । କେନ୍ଦ୍ରର ସୁବିଧାବାଦୀ ରାଜନୀତି ସହିତ 1987 ରାଜ୍ୟ ନିର୍ବାଚନ ଗୁଡ଼ିକରେ ଗଣତନ୍ତ୍ରର ଖୋଲାଖୋଲି ଉଲ୍ଲଙ୍ଘନ ହେବା ପରେ ଜାମ୍ମୁକାଶ୍ମୀରରେ ଭାରତ ବିରୋଧି କାର୍ଯ୍ୟକଳାପ ବୃଦ୍ଧିପାଇବାରେ ଲାଗିଲା । ଯେଉଁ ଉପତ୍ୟାକାକୁ ଏକଦା ବିଶ୍ୱର ଏକ ସୁନ୍ଦରତମ ସ୍ଥାନ କୁହାଯାଉଥିଲା, ତାହା ଦୃତବେଗରେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଉଥିଲା । ରାସ୍ତାରେ ରକ୍ତର ସୁଅ ଛୁଟିଥିଲା । ଘଟଣା ଏପରି ସ୍ଥରକୁ ଚାଲିଗଲା ଯେ ଏପରିକି କାଶ୍ମୀରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ମଧ୍ୟ ନିଷିଦ୍ଧ ହୋଇଗଲା । ଏସବୁ ଦୂର କରିବା ନେଇ କାର୍ଯ୍ୟପନ୍ଥା ଗ୍ରହଣ କରିବା ପରିବର୍ତ୍ତେ, କେନ୍ଦ୍ର ଅସହାୟ ଭାବେ ଘଟଣାବଳୀକୁ ଖାଲି କେବଳ ଦୃଷ୍ଟିପାତ କରୁଥିଲା ।

1989 ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ମୁଫ୍ତି ମହମ୍ମଦ ସୟଦଙ୍କ ଝିଅ ରୁବେୟା ସଇଦଙ୍କୁ କେତେଜଣ ଜାତୀୟତା ବିରୋଧି ବ୍ୟକ୍ତି ଅପହରଣ କରିନେଲେ । ମାତ୍ର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ, ନୂଆଦିଲ୍ଲୀରେ ଅବସ୍ଥାପିତ ସରକାର ଶସ୍ତାବାଟ ବାଛିନେଇ ଭାରତ ବିରୋଧି ମନ୍ତବ୍ୟ ଦେଉଥିବା କେତେଜଣ ଜଣାଶୁଣା ଚରମପନ୍ଥୀଙ୍କୁ ତୁରନ୍ତ ଛାଡିଦେଇଥିଲା । ଏହାଫଳରେ ଜାତୀୟତା ବିଦ୍ୱେଷୀ ଏହି ଗୋଷ୍ଠୀଗୁଡ଼ିକୁ ଖୋଲା ଛାଡି ଦିଆଯାଇଥିଲା ।

ଏହିପରି ଯୋଜନାବଦ୍ଧ ଭାବେ ଭାରତୀୟ ସାର୍ବଭୌମତ୍ୱର ଗୁରୁତ୍ୱକୁ ହ୍ରାସ କରାଯିବାକୁ ବିଜେପି ଏକ ନୀରବ ଦର୍ଶକ ଭଳି ଦେଖିପାରିଲା ନାହିଁ । କାଶ୍ମୀର ଗସ୍ତ ସମୟରେ ଶ୍ରୀ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜୀବନ ଦେବାକୁ ପଡିଥିଲା । ଏହାର ଏକ ଦଶନ୍ଧିପରେ ଜାତୀୟ ଏକତା ସମ୍ବନ୍ଧରେ ସ୍ୱର ଉତ୍ତୋଳିତ କରିବାର ଦାୟିତ୍ୱ ପଡିଲା ବିଜେପି ଉପରେ । ଏପରି ଅପ୍ରତ୍ୟାଶିତ ପରିସ୍ଥିତିକୁ ସାମନା କରିବାକୁ ଯାଇ, ତତ୍କାଳୀନ ଦଳୀୟ ସଭାପତି ଡଃ ମୁରଲୀ ମନହୋର ଯୋଶୀ ଜାତୀୟ ଏକତାକୁ ଦୃଢ଼ କରିବା ପାଇଁ ‘ଏକତାଯାତ୍ରା’ର ଆରମ୍ଭ କଲେ । ଏହି ଯାତ୍ରା ସ୍ୱାମୀ ବିବେକାନନ୍ଦ ଜୀବନର ଉଦେ୍ଦଶ୍ୟ ବୁଝିପାରିଥିବା ସ୍ଥାନ କନ୍ୟାକୁମାରିରୁ ଆରମ୍ଭ ହୋଇ ଶ୍ରୀନଗରର ଲାଲଚୌକଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ଶେଷ କରାଯିବା ପାଇଁ ସ୍ଥିର କରାଗଲା ।

ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସୁପ୍ରତିଷ୍ଠିତ ସାଙ୍ଗଠନିକ ଦକ୍ଷତାକୁ ବିଚାରକୁ ନିଆଯାଇ ଯାତ୍ରାର ପ୍ରସ୍ତୁତି ଭାର ତାଙ୍କ କାନ୍ଧରେ ନ୍ୟସ୍ତ କରାଗଲା । ଏହି ଦାୟିତ୍ୱବୋଧକୁ ତାଙ୍କ ମାନସିକ ଶକ୍ତି, ସାଙ୍ଗଠନିକ ଦକ୍ଷତା ଓ ଶ୍ରମଝାଳ ଦେଇ ଖୁବଶୀଘ୍ର ସେ ସଫଳତାର ସହ ପୂରଣ କରିଥିଲେ । ଅନେକ ବିପଦକୁ ଦୂର କରି ଖୁବକମ ସମୟ ମଧ୍ୟରେ ସେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ । ସେ ଏହି ଯାତ୍ରା ସମୟରେ ନିର୍ଭୟରେ ସବୁ ସ୍ଥାନକୁ ଯାଉଥିଲେ ଓ ଦଳର କର୍ମକର୍ତ୍ତାଙ୍କୁ ଭେଟୁଥିଲେ ।

ସେ ଦଳୀୟ କର୍ମକର୍ତ୍ତାଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ମଧ୍ୟରେ ଦେଶାତ୍ମବୋଧର ଭାବନା ସୃଷ୍ଟିକରିଥିଲେ । ଏହିପରି ଭାବେ ସେ ଯାତ୍ରାର ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଏହି ପ୍ରକ୍ରିୟା ମାଧ୍ୟମରେ ସେ ନିଜକୁ କେବଳ ଏକ ଦୃଢ଼ ସଙ୍ଗଠକ ଭାବେ ପ୍ରମାଣିତ କରିନଥିଲେ, ବରଂ ଯେକୌଣସି ପରିସ୍ଥିତିରେ ଦୃତଗତିରେ କାର୍ଯ୍ୟ ସମ୍ପନ୍ନ କରିବାରେ ସକ୍ଷମ ବୋଲି ଦେଖାଇଦେଇଥିଲେ । ନିଶ୍ଚିତ୍ତ ଭାବେ ଏହା ସାଧାରଣ ଜୀବନରେ ଏକ ବିରଳ କର୍ତ୍ତୁତ୍ୱ । ପ୍ରତିକୂଳ ପରିସ୍ଥିତିରେ ଦୃତ ନିଷ୍ପତ୍ତି ଗ୍ରହଣ କରିବାରେ ପାରଙ୍ଗମ ବୋଲି ମୋଦୀ ନିଜକୁ ପ୍ରମାଣିତ କଲେ । ତାଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାର ସାମର୍ଥ୍ୟ ତାଙ୍କ ପାଖରେ ରହିଥିବାର ମଧ୍ୟ ସେ ପ୍ରମାଣିତ କରିଥିଲେ ।

ଏକତା ଯାତ୍ରା ବେଳେ ଶ୍ରୀ ନରେନ୍ଦ୍ର ମୋଦୀ 

1991 ଡିସେମ୍ବର 11ରେ ଏକତାଯାତ୍ରା ଆରମ୍ଭ ହୋଇଥିଲା । ଏହି ଦିନ ମଧ୍ୟ ଥିଲା ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମବାର୍ଷିକ ଓ ଗୁରୁ ତେଗବାହାଦୁରଙ୍କ ‘ବଳିଦାନ ଦିବସ’ । ବିଭେଦ ତଥା ହିଂସାତ୍ମକ ରାଜନୀତିକୁ ବନ୍ଦ କରି କାଶ୍ମୀରରେ ସନ୍ତ୍ରାସବାଦର ସଙ୍କଟକୁ ଦୂର କରିବା ପାଇଁ ଦେଶବ୍ୟାପୀ ବ୍ୟାପକ ମତପ୍ରକାଶ ପାଇଥିଲା ।

ଶ୍ରୀ ମୋଦୀ ଯୁଆଡେ ଗଲେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବାର୍ତ୍ତାକୁ ପ୍ରତିଧ୍ୱନୀତ କରି କହିଲେ- ଦେଶର ଏକତା ସବୁକିଛିର ଉଦ୍ଧ୍ୱର୍ରେ ଏବଂ ସମାଜର ଭିନ୍ନଭିନ୍ନ ସ୍ତର ପାଇଁ ଭିନ୍ନଭିନ୍ନ ନିୟମ ଓ ମାପକାଠିରେ ସେ ବିଶ୍ୱାସ କରନ୍ତି ନାହିଁ ।

ଜାତୀୟତା ବିରୋଧି ଗୋଷ୍ଠୀମାନଙ୍କୁ ସମୁଚିତ ଜବାବ ଦେବା ଥିଲା ସମୟର ଆହ୍ୱାନ ଏବଂ ଏଥିପାଇଁ ଯେତବେଳେ ସଠିକ ସମୟ ଉପନୀତ ହେଲା, ସେତବେଳେ ମୋଦୀ ଆଗୁଆ ହୋଇ ଏହାର ନେତୃତ୍ୱ ନେଲେ । ଯେଉଁଠାକୁ ଗଲେ ସେଠାରେ ଏକତାଯାତ୍ରାକୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ମିଳିଲା । ଡଃ ଯୋଶୀ ଏକ ଜାତୀୟ ପୁନର୍ଜନ୍ମର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କଲେ ଓ ଏହାକୁ ଭାରତର ଜନସାଧାରଣ ଗ୍ରହଣ କଲେ ।

ଦିଲ୍ଲୀରେ ଅବସ୍ଥାପିତ ଅନ୍ଧ କଂଗ୍ରେସ ସରକାରର ଆଖି ଖୋଲିଦେଲା ଭଳି ‘ଏକତାଯାତ୍ରା’ଠାରୁ ବଡ ଘଟଣା ଆଉ କିଛି ନଥିଲା । କହିବା ବାହୁଲ୍ୟ ଯେ ଏହି ଯାତ୍ରାର ସଫଳତା ହିଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ମାଇଲଖୁଣ୍ଟ ଥିଲା । ଯାତ୍ରାର ପ୍ରଗତି ସହିତ ନରେନ୍ଦ୍ର ମୋଦୀଙ୍କ ସାଙ୍ଗଠନିକ ଦକ୍ଷତା ମୂଲ୍ୟବାନ ସାବ୍ୟସ୍ତ ହୋଇଥିଲା । ଛଦ୍ମ ଧର୍ମନିରପେକ୍ଷତାବାଦ ଓ ଭୋଟବ୍ୟାଙ୍କ ରାଜନୀତିକୁ ଶେଷ କରିବା ପାଇଁ ଶ୍ରୀ ମୋଦୀ ନିଜେ ଜନସାଧାରଣଙ୍କୁ ପ୍ରେରିତ କରିଥିଲେ । 1992 ଜାନୁଆରୀ 26 ତାରିଖରେ ଶ୍ରୀ ନଗରରେ ଯେତବେଳେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡିଲା, ମୋଦୀ ଭାବପ୍ରବଣ ହୋଇ ଆନନ୍ଦର ସହିତ ତାହାକୁ ଦେଖିଥିଲେ । ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏହି ବିରଳ ଜାତୀୟ ଲକ୍ଷ୍ୟ ସଫଳତାର ସହିତ ସାଧିତ ହେବା ମୋଦୀଙ୍କ ସାମର୍ଥ୍ୟ ପ୍ରତି ଏକ ସମ୍ମାନ ଓ କୃତଜ୍ଞତା ଥିଲା । ମୋଦୀ ଅତ୍ୟନ୍ତ ସାହସ, ଦକ୍ଷତା ଓ ଦୂରଦୃଷ୍ଟିର ସହିତ ଜାତୀୟତା ବିରୋଧି ଗୋଷ୍ଠୀମାନଙ୍କୁ ସଠିକ ଜବାବ ଦେଇଥିଲେ ଏବଂ ଭାରତମାତାର ଶକ୍ତି ଆଉଥରେ ଭାରତ ବିରୋଧି ଗୋଷ୍ଠୀମାନଙ୍କର ନିର୍ବୋଧତାକୁ ଧ୍ୱଂସ କରିଦେଇଥିଲା ।