2014 ମେ 26ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କଲେ । ଭାରତ ସ୍ୱାଧୀନତା ଲାଭ କରିବା ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀରେ ସେ ପରିଣତ ହେଲେ । ଗତିଶୀଳ, ଉତ୍ସର୍ଗୀକୃତ ଓ ସଂକଳ୍ପବଦ୍ଧ ନରେନ୍ଦ୍ର ମୋଦୀ 100 କୋଟିରୁ ଉର୍ଦ୍ଧ୍ଵ ଭାରତୀୟଙ୍କ ଅଭିଳାଷକୁ ପ୍ରତିଫଳିତ କରନ୍ତି ।
2014 ମେ ମାସରୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବାଙ୍ଗୀନ ତଥା ଅନ୍ତର୍ନିବେଶୀ ଉନ୍ନୟନକୁ ନେଇ ଯାତ୍ରା ଆରମ୍ଭ କରିଛନ୍ତି, ଯାହାଫଳରେ କି ପ୍ରତ୍ୟେକ ଭାରତୀୟ ତାର ଆଶା ଓ ଅଭିଳାଷାକୁ ହୃଦୟଙ୍ଗମ କରିପାରିବ । ଅନ୍ତ୍ୟୋଦୟ ଭାବନା ଦ୍ୱାରା ସେ ଗଭୀର ଭାବେ ଅନୁପ୍ରାଣିତ । ଏହାର ଅର୍ଥ ହେଲା ଧାଡିରେ ଠିଆ ହୋଇଥିବା ଶେଷ ବ୍ୟକ୍ତିଟିର ସେବା କରିବା ।
ନୂତନ ପରିକଳ୍ପନା ଓ ପଦକ୍ଷେପ ଦ୍ୱାରା, ସରକାର ନିଶ୍ଚିତ କରିଛନ୍ତି ଯେ ପ୍ରଗତୀର ଚକ ଯେପରି ଦ୍ରୁତଗତିରେ ଘୁରେ ଓ ଏହାର ଫଳ ପ୍ରତିଟି ନାଗରିକ ପାଖରେ ପହଞ୍ଚେ । ଶାସନ ଖୋଲା, ସହଜ ଓ ସ୍ୱଚ୍ଛ ହୋଇପାରିଛି ।
ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦ୍ୱାରା ଏକ ବଡ ଧରଣର ପରିବର୍ତ୍ତନ ଘଟିବା ଦ୍ୱାରା ଏହା ନିଶ୍ଚିତ ହୋଇପାରିଲା ଯେ ଦେଶର ଆର୍ଥିକ ବ୍ୟବସ୍ଥା ସହିତ ପ୍ରତ୍ୟେକ ନାଗରିକ ଯେପରି ସମନ୍ୱିତ ହୁଅନ୍ତି । ‘ମେକ ଇନ ଇଣ୍ଡିଆ’ର ଡାକରା ଓ ବ୍ୟବସାୟକୁ ସହଜ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଦ୍ୱାରା ପୁଞ୍ଜିନିବେଶକ ଓ ଉଦ୍ୟୋଗୀମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ବୃଦ୍ଧିପାଇଛି । ‘ଶ୍ରମେବ ଜୟତେ’ କାର୍ଯ୍ୟକ୍ରମ ଜରିଆରେ ଶ୍ରମ ସଂସ୍କାର ଓ ଶ୍ରମିକମାନଙ୍କୁ ମର୍ଯ୍ୟାଦା ପ୍ରଦାନ କରାଯାଇଛି । ଏହାଫଳରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ କାମ କରୁଥିବା ଶ୍ରମିକମାନଙ୍କର ସଶକ୍ତିକରଣ ହୋଇପାରିଛି । ଏହା ମଧ୍ୟ ଦକ୍ଷତା ସମ୍ପନ୍ନ ଯୁବବର୍ଗଙ୍କ ଉନ୍ନତି ଦିଗରେ ସହାୟକ ହୋଇଛି ।
ପ୍ରଥମ ଥର ପାଇଁ ଭାରତ ସରକାର ଦେଶର ଜନସାଧାରଣଙ୍କ ପାଇଁ ତିନୋଟି ସାମାଜିକ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି । ବୟସ୍କମାନଙ୍କୁ ପେନସନ ପ୍ରଦାନ ଓ ଗରିବମାନଙ୍କୁ ଇନ୍ସୁରାନ୍ସ ପ୍ରଦାନ କରିବା ନେଇ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । 2015 ମସିହା ଜୁଲାଇ ମାସରେ ଡିଜିଟାଲ ଇଣ୍ଡିଆ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆ ମିଶନ ଆରମ୍ଭ କରିଥିଲେ । ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନରେ ଏକ ଗୁଣାତ୍ମକ ପରିବର୍ତ୍ତନ ଲାଗି ବୈଷୟିକ ଜ୍ଞାନକୌଶଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
2014 ଅକ୍ଟୋବର 2 ତାରିଖ ଦିନ ମହାତ୍ମାଗାନ୍ଧୀଙ୍କ ଜନ୍ମବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ‘ସ୍ୱଚ୍ଛ ଭାରତ ମିଶନ’ ଆରମ୍ଭ କରିଥିଲେ । ଦେଶବ୍ୟାପୀ ସ୍ୱଚ୍ଛତା ଆଣିବା ପାଇଁ ଏହା ଥିଲା ଏକ ବ୍ୟାପକ ଆନ୍ଦୋଳନ । ଏହି ଆନ୍ଦୋଳନର ପରିଣାମ ଓ ପ୍ରଭାବ ଥିଲା ଐତିହାସିକ ।
ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ଅନ୍ତର୍ଗତ ବିଭିନ୍ନ ପଦକ୍ଷେକଗୁଡ଼ିକ ଏହାର ଲକ୍ଷ୍ୟ ସାଧନ କରିବା ସହ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ଭାରତ ବିଶ୍ୱସ୍ତରରେ ଏହାର ଭୂମିକା ସଠିକ ଭାବେ ନିର୍ବାହ କରିପାରିଛି । ସମସ୍ତ ସାର୍କ ଦେଶଗୁଡିକର ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିଥିଲେ । ଜାତିସଙ୍ଘର ସାଧାରଣ ସଭାରେ ତାଙ୍କ ଉଦ୍ବୋଧନକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦୀର୍ଘ 17 ବର୍ଷ ପରେ ନେପାଳକୁ, 28 ବର୍ଷ ପରେ ଅଷ୍ଟ୍ରେଲିଆକୁ, 31 ବର୍ଷ ପରେ ଫିଜିକୁ ଓ 34 ବର୍ଷ ପରେ ସେଇଚେଲେସକୁ ଦ୍ୱିପାକ୍ଷିକ ଗସ୍ତ କରିଥିଲେ । କାର୍ଯ୍ୟଭାର ଗ୍ରହଣ କରିବା ପରେ ପରେ ନରେନ୍ଦ୍ର ମୋଦୀ ଜାତିସଙ୍ଘ, ବ୍ରିକ୍ସ, ସାର୍କ ଓ ଜି-20 ଆଦି ସମ୍ମିଳନୀରେ ଯୋଗଦେଇଥିଲେ । ଏଠାରେ ବିଶ୍ୱ ସଂକ୍ରାନ୍ତୀୟ ବିଭିନ୍ନ ଅର୍ଥନୈତିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଭାରତର ମତ ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କ ଜାପାନ ଗସ୍ତ ଭାରତ-ଜାପାନ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ମଙ୍ଗୋଲିଆ ଗସ୍ତ କରିଥିଲେ ଏବଂ ତାଙ୍କର ଚୀନ ଓ ଜାପାନ ଗସ୍ତ ଭାରତରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିଥିଲା । ଫ୍ରାନ୍ସ ଓ ଜର୍ମାନୀ ଗସ୍ତ ଫଳରେ ୟୁରୋପ ସହିତ ତାଙ୍କର ସଂପୃକ୍ତିକୁ ସେ ବୃଦ୍ଧି କରିଥିଲେ । ଆରବ ଦେଶଗୁଡ଼ିକ ସହ ସମ୍ପର୍କ ବୃଦ୍ଧି କରିବା ନେଇ ମଧ୍ୟ ମୋଦୀ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ । 2015 ଅଗଷ୍ଟ ମାସରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ 34 ବର୍ଷ ପରେ ୟୁଏଇ ଗସ୍ତରେ ଯାଇଥିଲେ । ଗଲ୍ଫ ଦେଶଗୁଡ଼ିକ ସହ ଅର୍ଥନୈତିକ ସହଭାଗିତା ବୃଦ୍ଧି କରିବା ପାଇଁ ଏହା ଅନେକ ସହାୟକ ହୋଇଥିଲା । ଜୁଲାଇ 2015ରେ ଶ୍ରୀ ମୋଦୀ 5ଟି କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ଗସ୍ତରେ ଯାଇଥିଲେ । ଏହା ଏକ ସ୍ୱତନ୍ତ୍ର ପଦକ୍ଷେପ ଥିଲା । ଶକ୍ତି, ବାଣିଜ୍ୟ, ସଂସ୍କୃତି ଓ ଅର୍ଥନୀତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିମାନା ସ୍ୱାକ୍ଷରିତ ହେଲା । 2015 ଅକ୍ଟୋବରରେ ନୂଆଦିଲ୍ଲୀଠାରେ ଐତିହାସିକ ଭାରତ-ଆଫ୍ରିକା ଶିଖର ସମ୍ମିଳନୀର ଆୟୋଜନ କରାଗଲା ଏବଂ ଏହି ସମ୍ମିଳନୀରେ 54ଟି ଆଫ୍ରିକୀୟ ରାଷ୍ଟ୍ର ଯୋଗଦେଇ ଥିଲେ । ଆଫ୍ରିକୀୟ ଦେଶ ସମୁହରୁ 41 ଦେଶର ନେତୃବୃନ୍ଦ ଯୋଗଦେବା ସହ ଭାରତ-ଆଫ୍ରିକା ସମ୍ପର୍କ ବୃଦ୍ଧି ଉପରେ ଗଭୀର ବିଚାର ବିମର୍ଶ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ଭାରତ ଆସିଥିବା ଆଫ୍ରିକୀୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକର ଆୟୋଜନ କରିଥିଲେ ।
2015 ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ପ୍ୟାରିସଠାରେ ଅନୁଷ୍ଠିତ ସିଓପି21 ଶିଖର ସମ୍ମିଳନୀରେ ଯୋଗଦେଇ ସେଠାରେ ପୃଥିବୀର ଅନେକ ନେତୃବୃନ୍ଦଙ୍କ ସହ ମିଶି ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ବିଚାର ଆଲୋଚନା କରିଥିଲେ । ଶ୍ରୀ ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ହଲାଣ୍ଡେ ସୌରଶକ୍ତିର ବ୍ୟବହାର କରି ଗୃହମାନଙ୍କରେ ଆଲୋକ ବ୍ୟବସ୍ଥା କରିବା ଲାଗି ଆନ୍ତର୍ଜାତିକ ସୌର ଐକ୍ୟର ଏକ ମଞ୍ଚ ଆରମ୍ଭ କରିଥିଲେ ।
2016 ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ପରୁମାଣୁ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ବିଶ୍ୱରେ ପରମାଣୁ ସୁରକ୍ଷାର ଗୁରୁତ୍ୱ ଉପରେ ଦୃଢ଼ ବାର୍ତ୍ତା ଦେଇଥିଲେ । ସେ ସାଉଦି ଆରବିଆ ଗସ୍ତରେ ଯାଇଥିଲେ ଓ ସେଠାରେ ତାଙ୍କୁ ସାଉଦି ଆରବିଆର ଶ୍ରେଷ୍ଠ ରାଜକୀୟ ସମ୍ମାନ ‘ଶ୍ୟାଶ ଅଫ କିଙ୍ଗ ଅବଦୁଲାଜିଜ’ ପ୍ରଦାନ କରାଯାଇଥିଲା ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନି ଆବୋଟ୍ଟ, ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରିଶେନା ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଜର୍ମାନୀର ରାଷ୍ଟ୍ରପ୍ରମୁଖ ଆଞ୍ଜେଲା ମର୍କେଲଙ୍କ ସମେତ ବିଶ୍ୱର ଅନେକ ନେତୃବୃନ୍ଦ ଭାରତ ଗସ୍ତରେ ଆସିଥିଲେ ଏବଂ ଏହାଫଳରେ ଭାରତ ସହିତ ସେହି ଦେଶମାନଙ୍କ ସମ୍ପର୍କରେ ଉନ୍ନତି ଘଟିଥିଲା । 2015 ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସିଥିଲେ । ଭାରତ-ଆମେରିକା ସମ୍ପର୍କ ଇତିହାସରେ ପ୍ରଥମଥର ପାଇଁ ଏହା ଘଟିଥିଲା । 2015 ଅଗଷ୍ଟ ମାସରେ ଭାରତ ଏଫଆଇପିଆଇସି ସମ୍ମିଳନୀର ଆୟୋଜନ କରିଥିଲା ଏବଂ ପ୍ୟାସିଫିକ ଦ୍ୱୀପପୁଞ୍ଜର ମୁଖ୍ୟ ନେତୃବୃନ୍ଦ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ଏହି ଦେଶମାନଙ୍କ ସହ ଭାରତର ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଏଠାରେ ଆଲୋଚନା କରାଯାଇଥିଲା ।
ଏକ ଦିନକୁ ‘ଆନ୍ତର୍ଜାତିକ ଯୋଗ ଦିବସ’ ଭାବେ ଘୋଷଣା କରିବା ପାଇଁ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଜାତିସଙ୍ଘରେ ବହୁଳ ଭାବେ ଗ୍ରହଣ କରାଗଲା । ପ୍ରଥମଥର ପାଇଁ ବିଶ୍ୱର 177ଟି ଦେଶ ଏକାଠି ହୋଇ ଜୁନ 21କୁ ଜାତିସଙ୍ଘରେ ‘ଆନ୍ତର୍ଜାତିକ ଯୋଗଦିବସ ଭାବେ’ ପାଳନ କରିବା ପାଇଁ ଏକ ପ୍ରସ୍ତାବ ଗୃହିତ କଲେ ।
1950 ସେପ୍ଟେମ୍ବର ମାସ 17 ତାରିଖରେ ନରେନ୍ଦ୍ର ମୋଦୀ ଗୁଜୁରାଟର ଏକ ଛୋଟ ସହରରେ ସେ ଏକ ଦରିଦ୍ର ଓ କପର୍ଦ୍ଦକ ଶୂନ୍ୟ ଅଥଚ ସ୍ନେହି ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜୀବନର ପ୍ରାରମ୍ଭିକ ସମୟର ଦୁଃଖକଷ୍ଟ ତାଙ୍କୁ କେବଳ କଠିନ ପରିଶ୍ରମର ମୂଲ୍ୟ ସମ୍ବନ୍ଧରେ ଶିଖାଇନଥିଲା ବରଂ ସାଧାରଣ ଲୋକଙ୍କର ଦୂର କରାଯାଇପାରିଲା ଭଳି ଦୁଃଖକଷ୍ଟ ପ୍ରତି ସଚେତନ କରାଇଲା । ଦେଶର ଓ ଜନସାଧାରଣଙ୍କ ସେବା କରିବା ପାଇଁ ଛୋଟ ବେଳରୁ ଏହା ତାଙ୍କୁ ଗଭୀର ଭାବେ ଅନୁପ୍ରାଣିତ କଲା । ଆରମ୍ଭରୁ ସେ ଦେଶଗଠନ ପାଇଁ ଉତ୍ସଗୀକୃତ ଏକ ଜାତୀୟ ସଙ୍ଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସଏସ) ସହିତ କାର୍ଯ୍ୟ କଲେ ଓ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ନିଜକୁ ଉତ୍ସର୍ଗ କରି ରାଜ୍ୟ ତଥା ଜାତୀୟ ସ୍ତରର ସଙ୍ଗଠନ ଭାରତୀୟ ଜନତା ପାର୍ଟି ପାଇଁ କାମ କଲେ । ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ମୋଦୀ ରାଜନୀତି ବିଜ୍ଞାନରେ ସ୍ନାତ୍ତୋକତ୍ତର ଶିକ୍ଷା ଶେଷ କଲେ ।
2001ରେ ସେ ତାଙ୍କ ନିଜ ରାଜ୍ୟ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେଲେ ଓ ଏହାପରେ ରେକର୍ଡ 4 ଥର ପାଇଁ ଏହି ପଦରେ ତାଙ୍କ କାର୍ଯ୍ୟକାଳ ଶେଷ କଲେ । ଭୟଙ୍କର ଭୂମିକମ୍ପ ପରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଗୁଜୁରାଟକୁ ସେ ପ୍ରଗତୀର ଏକ ଯନ୍ତ୍ରରେ ରୂପାନ୍ତରିତ କରିଥିଲେ ଏବଂ ଏହା ଭାରତର ପ୍ରଗତୀରେ ଦୃଢ଼ ଯୋଗଦାନ ଦେଇଥିଲା ।
ନରେନ୍ଦ୍ର ମୋଦୀ ହେଉଛନ୍ତି ଜନସାଧାରଣଙ୍କ ନେତା । ସେମାନଙ୍କ ସମସ୍ୟାର ସମାଧାନ ଓ ଉନ୍ନତି ପାଇଁ ସେ ଉତ୍ସର୍ଗୀକୃତ । ଲୋକମାନଙ୍କ ସହିତ ରହି ସେମାନଙ୍କ ଦୁଃଖ ଦୂର କରିବା ଓ ସେମାନଙ୍କ ଖୁସିରେ ନିଜକୁ ସାମିଲ କରିବା ତାଙ୍କୁ ସବୁଠୁ ବେଶି ସନ୍ତୋଷ ଦେଇଥାଏ । ଜନସାଧାରଣଙ୍କ ସହିତ ତାଙ୍କର ବ୍ୟକ୍ତିଗତ କ୍ଷେତ୍ରୀୟ ସମ୍ପର୍କ ସହିତ ଅନଲାଇନ ମାଧ୍ୟମରେ ମଧ୍ୟ ଦୃଢ଼ ସମ୍ପର୍କ ରହିଛି । ବୈଷୟିକ ଜ୍ଞାନକୌଶଳ ବ୍ୟବହାର ନେଇ ଭାରତର ସବୁଠୁ ଦକ୍ଷ ନେତା ଭାବେ ସେ ଜଣାଶୁଣା । ୱେବ ମାଧ୍ୟମରେ ଲୋକମାନଙ୍କ ପାଖେ ପହଞ୍ଚି ସେ ସେମାନଙ୍କ ଜୀବନ ପରିବର୍ତ୍ତନ କରିଥାନ୍ତି । ଫେସବୁକ, ଟ୍ୱିଟ୍ଟର, ଗୁଗଲ +, ଇନଷ୍ଟାଗ୍ରାମ, ସାଉଣ୍ଡକ୍ଲାଉଡ, ଲିଙ୍କଡିନ, ୱେଇବୋ ଓ ଅନ୍ୟାନ୍ୟ ଫୋରମର ସୋସିଆଲ ମିଡିଆ ଭିତ୍ତିଭୂମିର ବ୍ୟବହାରରେ ସେ ବେଶ ତତ୍ପର ରହିଛନ୍ତି ।
ରାଜନୀତି ବ୍ୟତିରେକ ନରେନ୍ଦ୍ର ମୋଦୀ ଲେଖାଲେଖି କରିବାକୁ ଭଲପାଆନ୍ତି । ସେ କବିତା ପୁସ୍ତକ ସହ ଅନ୍ୟାନ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି । ତାଙ୍କ ଦୈନଦିନ କାର୍ଯ୍ୟଧାରାକୁ ସେ ଯୋଗରୁ ଆରମ୍ଭ କରନ୍ତି । ଏହା ତାଙ୍କ ଶରୀର ଓ ମନକୁ କେନ୍ଦ୍ରିଭୂତ କରିଥାଏ ଓ ବ୍ୟସ୍ତବହଳୀ କାର୍ଯ୍ୟସୂଚୀ ମଧ୍ୟରେ ତାଙ୍କୁ ଶାନ୍ତ ରଖିଥାଏ ।
ସେ ଜଣେ ଏପରି ବ୍ୟକ୍ତି ଯିଏକି ସାହସ, କରୁଣା, ଦୃଢ଼ ବିଶ୍ୱାସର ମୂର୍ତ୍ତିମନ୍ତ ପ୍ରତୀକ । ତେଣୁ ଦେଶ ତାଙ୍କ ଉପରେ ଏହି ବିଶ୍ୱାସରେ ଶାସନଭାର ଅର୍ପଣ କରିଛି ଯେ ସେ ଦେଶକୁ ପୁନର୍ଜୀବିତ କରିବା ସହ ଭାରତକୁ ବିଶ୍ୱର ଏକ ଉଜ୍ଜ୍ୱଳ ଆଲୋକବର୍ତ୍ତିକାରେ ପରିଣତ କରିବେ ।