ବରିଷ୍ଠ କ୍ୟାମେରାମେନ ଗୋପାଳ ବିସ୍ତଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଯାଇଥାନ୍ତି ଶ୍ରୀ ନରେନ୍ଦ୍ର ମୋଦୀ । ଏହି କ୍ୟାମେରାମେନ ମାଧବରାଓ ସିନ୍ଧିଆଙ୍କ ସହ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେହି ସମୟରେ ସେ ଏକ ଫୋନକଲ୍ ପାଇଲେ ଏବଂ ସେହି କଲ୍ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ।
ଅଟଳଜୀ ପଚାରିଲେ, ‘ତୁମେ କେଉଁଠି ଅଛ ?’
ଶ୍ରୀ ମୋଦୀ ଉତ୍ତର ଦେଲେ, ‘ମୁଁ ଗୋଟିଏ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ଆସିଛି ।’ ଏକଥା ଶୁଣି ଅଟଳଜୀ କହିଲେ, ‘ଓଃ ! ତୁମେ ଅନ୍ତ୍ୟେଷ୍ଟିରେ ଥିଲେ ବି ତୁମ ସହ ମୁଁ କଥାବାର୍ତ୍ତା ହୋଇପାରିବି ।’ ସେଇ ଦିନ ସନ୍ଧ୍ୟାରେ ଅଟଳଜୀ ଶ୍ରୀ ମୋଦୀଙ୍କୁ ତାଙ୍କ ବାସଭବନକୁ ଡ଼ାକିଲେ ।
ଯେତେବେଳେ ଶ୍ରୀ ମୋଦୀ ଅଟଳଜୀଙ୍କୁ ଭେଟିଲେ, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଲେ, ‘ଦିଲ୍ଲୀ ତୁମକୁ ମୋଟା କରି ସାରିଲାଣି । ତୁମକୁ ଗୁଜରାଟ ଫେରିଯିବାକୁ ପଡ଼ିବ ।’
ଏଭଳି କଥାର ସାରମର୍ମକୁ ଶ୍ରୀ ମୋଦୀ ଠିକ୍ ଠଉରାଇପାରିଲେ । ତେବେ ଏପରି ନିଷ୍ପତ୍ତିରେ ସେ ବିସ୍ମିତ ହେଲେ । ଏପର୍ଯ୍ୟନ୍ତ ଜଣେ ବିଧାୟକ ଭାବେ ସୁଦ୍ଧା ସେ କାର୍ଯ୍ୟ କରିନାହାନ୍ତି, ଆଉ ଦଳ ତାଙ୍କ ମୁଣ୍ଡରେ ଏତେ ବଡ଼ ଗୁରୁ ଦାୟିତ୍ୱ ନ୍ୟସ୍ତ କରିବାକୁ ଚାହୁଁଛି । କିନ୍ତୁ ସ୍ୱୟଂ ଭାରତର ପ୍ରଧାନମନ୍ତ୍ରୀ ଯେତେବେଳେ ଏକଥା କହୁଛନ୍ତି ତାଙ୍କ କଥା ଟାଳିବ ଅବା କିଏ ?
ଶ୍ରୀ ମୋଦୀଙ୍କ ନିଜ ଭାଷାରେ, ଯାହାକି ସେ ସଂସ୍ମରଣ କରିକହନ୍ତି, ‘ଦୀର୍ଘ ବର୍ଷ ଧରି ମୁଁ ଗୁଜରାଟକୁ ଯାଇ ସୁଦ୍ଧା ନଥିଲି । ଏଭଳି ନିର୍ଦ୍ଦେଶ ପାଇ ମୁଁ ମୋର ଦଳୀୟ ସହଯୋଗୀମାନଙ୍କୁ ଡ଼ାକି ପଠାଇଲି ଓ ସେମାନଙ୍କୁ କହିଲି- ଆପଣମାନେ ମୋତେ ଡାକୁଛନ୍ତି କିନ୍ତୁ ମୁଁ ଯିବି କୁଆଡ଼େ, ମୋର ସେଠାରେ ଘରଟିଏ ସୁଦ୍ଧା ନାହିଁ । ଅନେକ ଦିନ ଧରି ମୁଁ ଗୁଜରାଟ ଯାଇନି । ସେମାନେ ମୋତେ କହିଲେ, ଆମେ ଆପଣଙ୍କ ପାଇଁ ସର୍କିଟ ହାଉସରେ କୋଠରୀ ବୁକ୍ କରିଦେବୁ । କିନ୍ତୁ ମୁଁ ଜିଦ୍ ଧରିଲି ଯେ ମୁଁ ତ ବିଧାୟକଟିଏ ସୁଦ୍ଧା ନୁହେଁ । ତେଣୁ ମୁଁ ସେ କୋଠରୀ ବାବଦକୁ ସଂପୂର୍ଣ୍ଣ ଦେୟ ପୈଠ କରିବି ।
ଏହିଠାରୁ ଆରମ୍ଭ ହେଲା ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋଦୀଙ୍କ ଇନିଙ୍ଗସ୍ । ଏହା ପରେ ସେ ହେଲେ ରାଜ୍ୟର ସର୍ବାଧିକ କାଳ କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ ଏବଂ ଲଗାତାର ଭାବେ ସେ ଚାରିଥର ଏହି ପଦବୀ ପାଇଁ ଶପଥ ଗ୍ରହଣ କରିଥିଲେ ।